Unknown

 

 

 

 

 

 

 

 

 

ଏପାରି ସେପାରି

ଶ୍ରୀ କାହ୍ନୁଚରଣ ମହାନ୍ତି

 

ପେଚିଟି ଆଜି ରୁଷିଛି । ବେଳେ ବେଳେ ସେ ଏପରି ରୁଷେ । ଚଇଁଆଁର ହାତକୁ ଦିହାତ କରି ସୁନାକୁ ଘରକୁ ଆଣିଲା ଦିନୁ ତାଆର ଏଇ ଅବସ୍ଥା । କାହାର ଦୋଷ ଦେବ ? ମଣିଷର ଦୋଷ ସେ ଦିଏ ନାହିଁ । ଠାକୁରଙ୍କର ଦୋଷ ଦେବାକୁ ସତ ବକେ ନାହିଁ । ଦୋଷ ଦିଏ କପାଳର ।

 

ବାଡ଼ିଖଣ୍ଡି ଧରି ଛୋଟେଇ ଛୋଟେଇ ସେ ଯାଏ-

 

ବାଲି ପାହାଡ଼ ଉପରେ ଯେଉଁ ଝଙ୍କାଳିଆ ବରଗଛଟି, ବେକ ଯାଏ ବାଲିରେ ପୋତି ହୋଇଛି, କେତେ ଶାଖା ପ୍ରଶାଖା, ଡାଳପତ୍ର ମେଲି ଚାରିଗୁଣ୍ଠ ଜମି ମାଡ଼ି ବସିଛି, ପେଚି ଯାଏ ତାଆରି ତଳକୁ । ବର ମୂଳରେ କେଉଁ ଅନାଦି କାଳର ଅପୂଜା ଦେବତା ବାଲୁକେଶ୍ୱର । ତାଙ୍କରି ଆଗରେ ସେ ବସେ । ହାତ ଯୋଡ଼େ । ତଳେ ମୁଣ୍ଡ ଲଗାଏ। ପରର ଅଶୁଭ ମନାସିବାକୁ ମନ ହୁଏ ନାହିଁ । କାନ୍ଦେ ମନଇଚ୍ଛା ।

 

ମନର କୋହ ମନରେ ମରେ । ଆଖିର ଲୁହ ଗାଲ ଉପରେ ଶୁଖେ । ଭୋକରେ ପେଟ ଗର୍ଜିଉଠେ । ଭୋକ ମରେ । ଦୂର ବାଲି ପାହାଡ଼ର ଧୂସର ତାଳୁ ପାଖକୁ ସୂର୍ଯ୍ୟଦେବତା ଓହ୍ଲାଇ ଆସନ୍ତି । ଛାଇ ନେଉଟେ । ଖରା ତାଉ କମେ । ଶୀତୁଳିଆ ପବନ ବହେ । ସମୁଦ୍ରର ଗର୍ଜନ ବେଶି ବେଶି ଶୁଭେ । ପେଚି ଗଛତଳୁ ଉଠିଆସେ ପଦାକୁ ।

 

ବାଡ଼ି ଭରା ଦେଇ ବାଲି ପାହାଡ଼ର ସବା ଉଚ୍ଚ ଶିଖ ଉପରକୁ ଉଠେ । ଚାରିଆଡ଼େ ଆଖି ବୁଲାଇଯାଏ । କେହି ଦିଶନ୍ତି ନାହିଁ । ଗାଁ ଆଡ଼କୁ ନିରିଖି ଚାହେଁ, ଚଇଁଆଁ କାଳେ ଆସୁଥିବ । ବାଲି ପାହାଡ଼ମାଳାର ପଛପଟେ ଦିଇପା ବାଟରେ ତ୍ରିଲୋଚନପୁର ଗାଆଁର ଗଛଗହଳି ଅନ୍ଧାରିଆ ଦିଶେ-। ସେଇ ତାଆର ଗାଁ, ଜନ୍ମମାଟି । ସେଇଠି ତାଆର ସାତପୁରୁଷର କୁଡ଼ିଆ । ଆଉ, ସେଇ ଭଙ୍ଗାରୁଜା ବାଉଁଶ ଖଡ଼ର କୁଡ଼ିଆ ଭିତରେ ବସିଥିବ ସୁନା ! କୋଳରେ ଧରିଥିବ ସାତ ମାସର ପୁଅ ଭରଥିଆକୁ ।

 

ଚଇଁଆଁ ପାଖରେ ବସି ଭରଥିଆର ନାଲି ଟୁକୁ ଟୁକୁ ଓଠରେ ଗେଲ କରୁଥିବ, ଶୁଣୁଥିବ ସୁନାର ଖଚ ମିଛ କଥା-ହେଉଟି, ତମ ଭଉଣୀ ପେଚି, ନିହିମାକେ ହାଣ୍ଡିରୁ ପଖାଳ ଛାଣି ଖାଇଲା, ଧାନ ମାଣେ ଚୋରିକରି ଗୁଡ଼ିଆ ଘରୁ ମୁଢ଼ି ଆଣି ଖାଇଲା । ଏମିତି କେତେ ମିଛ କଥା । ଚଇଁଆଁ ରକ୍ତଚାଉଳ ଚୋବାଉଥିବ । କହୁଥିବ, ହଉ, ହଉ, ସେ ଆଜି ଆସୁ କି-

 

କେମିତି ପେଚି ଫେରିବ ଘରକୁ ? ଯେଉଁ ଚଇଁଆଁକୁ କୋଳରେ କାଖରେ କରି ସେ ମଣିଷ କରିଛି, ନିଜେ ନ ଖାଇ ତା ତୁଣ୍ଡରେ ଆଧାର ଦେଇ ବଞ୍ଚାଇଛି, ଯାହାକୁ ଦଣ୍ଡେ ନ ଦେଖିଲେ ପେଚି ବାଇଆଣୀ ହେଉଥିଲା, ସେଇ ଫେର୍‌ ଓଲଟି ପଡ଼ିଲା ! ସତ ମିଛ ନ ବୁଝି ସୁନା କଥାରେ ପରତେ ଯାଇ ସୁବଦିନେ ବିଧା ଗୋଇଠା ମାଡ଼ରେ ତାଆର ପିଠି ଭାଙ୍ଗିଲା ! ତିନିଦିନ ତକର ମାଡ଼, ଗୋରୁ ଗାଈ ହେଲେ ସହିବେ ନାହିଁ, ମଣିଷ ହୋଇ ପେଚି ସହିଲା । ପିଠିର ଦରଜ ଭଲ ହୋଇ ନାହିଁ । ଅଣ୍ଟା ସଳଖି ପାରୁ ନାହିଁ ।

 

କେତେ ଆଉ ସହିବ ? ଏତେ ଲୋକ ନିତି ମରୁଛନ୍ତି, ଯମ ତାକୁହିଁ ପାଶୋରିଛି ।

 

ପେଚି ଚାହିଁ ରହିଲା, ଆଖି ଯେତେଦୂର ପାଇବ । ଦୁନିଆଟା କେଡ଼େ ବଡ଼ ସତେ ! ଏ ପୂର୍ବଦିଗ, ସମୁଦ୍ରର ଲହଡ଼ିପରି ମାଳ ମାଳ ବାଳିବନ୍ତ । କେଡ଼େ ରୁକ୍ଷ ! ଧୂସର । ବାଲି ପାହାଡ଼ଗୁଡ଼ିକର ଫାଙ୍କେ ଫାଙ୍କେ, ପୁଣି ଉପତ୍ୟକାରେ ସୁବଜ କିଆ, ସପୁରିବଣ । ପାଚିଲା ଦରପାଚିଲା ଲମ୍ବ ଲମ୍ବ ଫଳ ନାଲି ହଳଦୀ ହୋଇ କେଡ଼େ ସୁନ୍ଦର ଦିଶୁଛି । ପାହାଡ଼ର ତଳେ ତଳେ ସନ୍ତସନ୍ତିଆ ଭୂଇଁ ଉପରେ ଘାସ, ଲଟା, ହେନ୍ତାଳବଣ । ଠାଏ ଠାଏ ପାନ ବରଜ । ପାଖେ ପାଖେ କେତେ ଗାଈ, ଗୋରୁ, ଛେଳି, ମେଣ୍ଡା, ମଇଁଷି ଚରୁଛନ୍ତି । ପୂବେଇ ପବନରେ କେତେ ଟିପାକାଠି ବାଉଁଶଘଣ୍ଟିର ଠଣ୍‌ ଠଣ୍‌ ଶବ୍ଦ ଭାସି ଆସୁଛି । କେଉଁ ପାହାଡ଼ର ଆରପାଖେ ଗାଈଆଳ ପିଲା ବଇଁଶୀ ବଜାଉଛି । ସ୍ୱର ଶୁଭୁଛି, ଲୋକ ଦିଶୁନାହିଁ ।

 

ପାହାଡ଼ମାଳର ଆରପାଖେ, ଆହୁରି ଖଣ୍ଡେଦୂର ପୂର୍ବକୁ ସମତଳ ବେଳା ଭୂଇଁ, ଡାକେ ବାଟ ହେବ ନାହିଁ । ଗଡ଼ାନ୍ତିଆ ହୋଇ ସମୁଦ୍ର କୂଳକୁ ପଡ଼ିଛି । ସେଇ ବେଳା ଭୂଇଁକୁ ଦିଭାଗ କରି ଛୋଟ ନଈଟିଏ ସମୁଦ୍ରରୁ କେଉଁଠୁ ବାହାରି ସମୁଦ୍ରକୂଳକୁ ଖଣ୍ଡେ ଦୂର ଛାଡ଼ି ସମାନ୍ତରାଳ ଭାବରେ କେତେଦୂର ଯାଇ ପୁଣି ମିଶିଛି ସମୁଦ୍ରରେ । ନଈ ସେପାରି ସମତଳ ବେଳାଭୂଇଁ । ଲହଡ଼ି ପରେ ଲହଡ଼ି କେତେ ଉଚ୍ଚକୁ ଉଠି ସେଇ ଧୂସର ବେଳାଭୂଇଁର ଗୋଡ଼ତଳେ ମୁଣ୍ଡ ନୋଉଁଛନ୍ତି । ଲମ୍ବି ଯାଇଛି ନେଳିଆ ସମୁଦ୍ର-। ଆଖି ପାଉନାହିଁ । ମିଶିଯାଇଛି କାହିଁ କେତେଦୂରରେ ଆକାଶ ଦେହରେ। ମେଘଖଣ୍ଡେ ଉଠି ଆସୁଛି ସୁମଦ୍ରଭିତରୁ, ଡେଇଁ ପଡ଼ୁଛି ଆକାଶ କୋଳକୁ । କଳା ଘୁମର-

 

ପେଚିର ମନେ ପଡ଼ୁଛି କେବ କାକର କେତେ କଥା । ତିରିଶିଟି ବୈଶାଖ ମୁଣ୍ଡଉପରେ ବହିଗଲାଣି । ଫୁରୁ ଫୁରୁ ଜଟାଳିଆ ମୁଣ୍ଡରେ କେତେ କେରା ବାଳ ଦରପାକଲା ହେଲାଣି, ତଥାପି, ପେଚିର ସବୁ ମନେ ଅଛି । ଦଶ ବରଷର ଭାଇ ଚଇଁଆଁ, ଖାଉନ୍ଦ ଘର ଗାଈ ଗୋରୁ ନେଇ ଚରାଇବାକୁ ଆସେ ଏଇ ନିର୍ଜନ ଅପନ୍ତରାକୁ । ଛୋଟି ପେଚି ଚାହିଁ ରହିଥାଏ, କେତେବେଳେ ଚଇଁ ଫେରିବ । ଛାଇ ନେଉଟିଲେ ମନ ତାଆର ଛକପକ ହୁଏ । କଂସାରୀନଟା କିଆବଣ ଭିତରେ ତମ୍ପସାପ ସାଲୁବାଲୁ । ମନ ପାପଛୁଏଁ । ଆକାଶରେ ମେଘ ଘୋଟେ । ସାଇଁ ସାଇଁ ପବନ ବହେ । ପେଚି ଆଉ ସମ୍ଭାଳି ହୋଇ ରହେ ନାହିଁ । ସେ ଜାଣେ, ସମୁଦ୍ର କୂଳିଆ ପବନର ତୋଡ଼ । ବାଲି ଉଡ଼ାଇ ଆଣି ଦେହରେ ଯେପରି ବାଜେ ତୀର ମାରିଲା ପରି । ଆହା, ପିଲା ବକଟେ ଚଇଁଟି, ଜନମର ଦିଇବରଷ ନ ପୁରୁଣୁ ମାଆକୁ ଖାଇଛି । କଅଣ କରିବ ପିଲାଟା ?

 

ପେଚି ବାଡ଼ିଖଣ୍ଡି ଧରି ଛୋଟେଇ ଛୋଟେଇ ଘରୁ ବାହାରେ । ଚଇଁଆଁର ନାମ ଧରି ଡାକି ଡାକି ବାଲିବନ୍ତର ସନ୍ଧିରେ ସନ୍ଧିରେ ଧାଏଁ-। ବର୍ଷା ମାଡ଼ି ଆସେ-। ଚଇଁଆଁକୁ କେଉଁ କିଆ ବଣର କନ୍ଦିରେ ଦେଖେ । ଖୁସିରେ କୁଣ୍ଢାଇଧରେ, ମୋ ଚଇଁରେ, ମୋ ଭାଇରେ ! ବୋକ ଦିଏ । ପବନ କମେ । ବର୍ଷା ଊଣା ହୁଏ । ଭାଇର ହାତଧରି ପୁଣି ଗାଈ ଗୋରୁ ଅଡ଼େଇ ତ୍ରିଲୋଚତପୁର ଫେରେ-

 

ବାଲି ପାହାଡ଼, ନଈ, ସମୁଦ୍ର, ମେଘ, କିଆବଣ, ପବନ, ଚଇଁଆଁ, ସମସ୍ତେ ସେମିତି ଅଛନ୍ତି-। ଖାଲି, ଚଇଁଆଁର ମନ ବଦଳିଛି । ନିଜ ହାତରେ ସେ ପେଚିକି ମାରୁଛି ମାଡ଼ । ଯେଉଁ ପିଠିରେ ନାଉ ହୋଇ ସେ ହେଲା ମଣିଷ, ସେ ପିଠି ଆଜି ଆଉ ତାଆର ଲୋଡ଼ା ନାହିଁ । ସେ ପିଠିକୁ ବିଧାମାରି ସେ ଭାଙ୍ଗିବାକୁ ଚାହେଁ ।

 

ପେଚି ଅଣ୍ଟା ସଳଖି ଠିଆ ହେଲା ।

 

ଫେରିଯିବ ? ଚଇଁଆଁ ପାଖକୁ ? ନାଇଁ, ନାଇଁ, ସେ ଆଉ ମାଡ଼ ସହି ପାରିବ ନାହିଁ । କାଳେ ମନରୁ ଅପସାଇପ ନିଶ୍ୱାସରେ ବାହାରି ଆସିବ। କାଳେ ଚଇଁଆଁର ଅନିଷ୍ଟ ହେବ ।

ପେଚି ପଶ୍ଚିମ ଆଡ଼କୁ ମୁହଁ ଫେରାଇଲା । ଡାହାଣ ହାତି, କେତେ ବାଲିବନ୍ତ ଡେଇଁଲେ ଢିଙ୍କିଆ ଗାଁ । ସୁନାଘର ସେଇ ଗାଆଁର । ସୁନ୍ଦର କୁଲୁକୁଲିଆ ନିରୀହ ପିଲାଟିଏ ଥିଲା । ରାଣ୍ଡ ମାଆର ଆଖିର ପିତୁଳା । ଟୋକେଇ ଖଣ୍ଡେ ଧରି ଗୋବର ଗୋଟାଏ । କାଠିକୁଟା ସାଉଁଟେ । ଏଇ ପାହାଡ଼ ସେକଡ଼ ହେନ୍ତାଳ ବଣ, ପାନ ବରଜ ପାଖରେ କେତେ ଥର ଦେଖିଛି । ପଚାରିଲେ ଲାଜ ଲାଜ ହୋଇ ରହେ । ତୁଣ୍ଡରୁ ବଚନ ବାହାରେ ନାହିଁ ।

 

ପେଚିର ମନକୁ ସେଇ ମାନିଥିଲା । ଚଇଁଆଁଟାକୁ ବି ସତର ବରଷ ହେଲାଣି । ପେଚି ସୁନାବୋଉ ସଙ୍ଗେ କଥା ଥିର କଲା। ତେର ବରଷର ବଢ଼ିଲା ଝିଅ, ସୁନା ଖଡ଼ିକା ସତେ । ଚଇଁଆଁର ହାତକୁ ଦିହାତ କରେଇ ସୁନାକୁ ଆଣିଲା ନୂଆବୋହୂ କରି ।

 

ତିନି ବରଷ ତଳେ ରାତିରେ ସହଳ ସହଳ ନିଦ ହୋଇଯାଏ ବୋଲି ସୁନାକୁ ସେ ହାତରେ ଖୋଇ ଦିଏ । ମାଣ୍ଡିଆ ଜାଉ କି କୋଳଥ ପଇତି କି ମାଛ ସିଝାରେ ନୁଣ ପକେଇବକୁ ଭୁଲେ ବୋଲି, ହାତ ମୁଠାକରି ଦାନ୍ତ ଚିପି ଚଇଁଆଁ ଧାଇଁ ଆସେ ସୁନାକୁ ମାରିବାକୁ । ସୁନାକୁ କାନି ଘୋରାଇ ପେଚି ହାଁ ହାଁ କରେ, ଭାଇଟି ପରା, ଛି ଛି, ସୁନା ପରା ପିଲାଟା । ବୁଦ୍ଧି ହୋଇ ନାହିଁ ।

 

ଚଇଁଆଁ ମୁଠା ଖୋଲି ଫେରେ । ପେଚି ପୋଛିଦିଏ ଲୁହ ସୁନା ଆଖିରୁ । ମୋ ଟିକି ଭଉଣୀଟି, ତୁ ମୋତେ ଯୋଗେଇ ଦେ କି ମୁଁ ରାନ୍ଧିବି, ତୁ ଶିଖ।

 

ସେଇ ସୁନା ! ମୁହଁକୁ ବଲବଲ କରି ଚାହିଁ ଅଜପ ମିଛ କହିବ, ପେଚି ଚୋରଣୀ, ପେଚି ଟାଉକୀ, ଶିକାରେ ଥୋ କହିଲେ ପାଟିରେ ଥୋଇବ । ସୁନା ରାଣ ପକେଇବ । ମୁଣ୍ଡ ଛୁଇଁବ । କେମିତି ବହପ କଥା । ଚଇଁଆଁ ପରତେ ନ ଯିବ କେମିତି ?

 

ବୁଢ଼ୀଟାତ ବଞ୍ଚିଛି । ଯିବ ଥରେ ? ସୁବ ସତ କଥା ଖୋଲି କହିବ ? ବୁଢ଼ୀ କଅଣ ପରତେ ଯିବ ? ନିଜେ ପେଚି ତ ବିଶ୍ୱାସ କରି ପାରୁ ନାହିଁ, ସୁନା କାହିଁକି ଏମିତି ବଦଳିଲା ?

ନା, ସେ ଯିବ ନାହିଁ । କାହାରି ଆଗରେ ଗୁହାରି କରିବ ନାହିଁ । ପାହାଡ଼ ଉପରର ଏଇ ଏକୁଟିଆ ବରଗଛ ପରି ସବୁ ସହିବ । ତୁଣ୍ଡ ଖୋଲିବ ନାହିଁ ।

 

ପେଚି ଚାହିଁ ରହିଲା ପଶ୍ଚିମପଟ ସେପାରିକୁ । ବାଲିବନ୍ତ ମାଳ ତଳକୁ ଧାନ କ୍ଷେତ ଲମ୍ବିଯାଇଛି । ବେଶି ଦୂର ନୁହେଁ । ତାଆ ପାଖକୁ ଛୋଟ ନଈଟି । କାହିଁ କେଉଁଠୁ ବିଲ ମଝିରୁ ବାହାରି ବିଲ ମଝିରେ ସାପ ଗଲା ପରି ବଙ୍କେଇ ବଙ୍କେଇ ଯାଇଛି । ଉତ୍ତରପୂର୍ବ କୋଣରେ ଷଣ୍ଢକୁଦ ନଈ ଦେହରେ ମିଶିଛି । ଜୁଆରିଆ ନାଳ । କେତେବେଳେ ଆଣ୍ଠୁଏ ପାଣି ତ କେତେବେଳେ କାତ ପାଇବ ନାହିଁ । କେତେବେଳେ ପଚିଶ ହାତ ଚଉଡ଼ା ତ କେତେବେଳେ ପୁଣି ଦୁଇଶ ହାତ।

 

ସେହି ଲୁଣିନାଳର ଡାହାଣ ପାଖ କୂଳେ କୂଳେ ପୂର୍ବଆଡ଼କୁ ଗହଳି କିଆବାଡ଼ । ଉଚ୍ଚ, ଝଙ୍କାଳିଆ । ନାଳ ଭିତରକୁ ନଇଁ ପଡ଼ିଛି । ନାଲି, ହଳଦୀ ଫଳରେ ଗଛମୂଳ ସୁନ୍ଦର ଦିଶୁଛି । ଧଳା ଧଳା ଫୁଲ ସବୁଜ ପତ୍ର ଗହଳି ଫୁଟି ଉରପକୁ ମୁଣ୍ଡ ଟେକିଛି । ଆଉ, ନାଳ ସେପାରି ବନ୍ଧ, କେବେ ଉଚ୍ଚ । ଜୁଆର ହେଲେ ଲୁଣି ପାଣି ବିଲରେ ପଶିବ ବୋଲି ଗାଁ ଲୋକ ନାଳ କୂଳେ କୂଳେ ବାହାତି ଏଇ ବନ୍ଧ ବାନ୍ଧିଛନ୍ତି । କୁଜଙ୍ଗ ରାଇଜରେ ଏମିତି ଘେରିବନ୍ଧ ଅସୁମାର ଅଛି । ଯେଉଁଠି ନାଳ, ସେଇଠି ତାଆରି କୂଳେ କୂଳେ ବନ୍ଧ ।

 

ଲୋକେ କହନ୍ତି, ପୂର୍ବ କାଳରେ ସମୁଦ୍ର ଆଡ଼କୁ ଲୋକ ବସତି ନ ଥିଲା । ସନ୍ତସନ୍ତିଆ ଭୂଇଁ । ବଡ଼ ଜୁଆରରେ ଏଇ ନାଳ ଗୁଡ଼କରେ ଲୁଣି ପାଣି ଆସି ଜମି ଉପରେ ମାଡ଼େ । ଲୁଣିପାଣିରେ ଜନ୍ମିବା ଗଛ ଚାରିଆଡ଼େ ମାଡ଼ିଯାଏ ।

 

ଚିକିଟା ଫସକା ମାଟି । ଲୁଣ ମାରିବାକୁ ଆସି ମହାଜନମାନେ ସେଇ ଜଙ୍ଗଲ ମଝିରେ ପଲ୍ଲୀ କରି ରହିଥିଲେ । ଧୀରେ ଧୀରେ ଲୋକ ବସତି ହେଲା । ଜମି ହେଲା । ନାଳ କୂଳେ କୂଳେ ପଡ଼ିଲା ଘେରି ବନ୍ଧ । ଏବେ ମଧ୍ୟ ଠାଏ ଠାଏ ଛୋଟ ପାହାଡ଼ ପରି ଲୁଣମରା ହାଣ୍ଡିର ବହଳ ଖପରା ଗଦା ହୋଇଛି ।

 

କହନ୍ତି, କଟକ ରାଇଜର ଧାନ-ଭଣ୍ଡାର ଏଇ କୁଜଙ୍ଗ । ହେଲେ, ଲୋକଙ୍କ ଉପରେ ଆପଦ ବିପଦ ସବୁବେଳେ ଝୁଲି ରହିଥାଏ । ଝଡ଼ ତୋଫାନ ହେଲେ, ଘରଦ୍ୱାର ଉଡ଼େଇ ନିଏ । ବର୍ଷା ହେଲେ ଜମି ଉପରେ ଡଙ୍ଗା ଚାଲେ । ଗାଁଗୁଡ଼ିକ ସମୁଦ୍ର ମଝିରେ ଦ୍ୱୀପ ପରି ଦିଶନ୍ତି । ରାସ୍ତାଘାଟ ନାହିଁ । ଚାଲିକରି ଗୋଟିଏ ଗାଆଁରୁ ଆର ଗାଆଁକୁ ଯିବା କଷ୍ଟ। ବର୍ଷାଦିନେ ଶଗଡ଼ ଚାଲିବ ନାହିଁ । ଘରେ ଘରେ ହୁଲି ଡଙ୍ଗା । ସେଇ ଡଙ୍ଗା ହିଁ ଲୋକଙ୍କର ଗୋଡ଼ ।

 

ଲମ୍ବା ଲମ୍ବା ଦିଗହଜା ଗହିର ଉପରେ ମାଳ ମାଳ ହୁଲିଡଙ୍ଗା ଚାଲେ ତୀର ବେଗରେ । ବେଳେ ବେଳେ ସମୁଦ୍ର କୂଳିଆ ବାୟାର ଆସେ । ଡଙ୍ଗା ଓଲଟେ ନାଳ ମଝିରେ । କିଏ ବଞ୍ଚେ, କିଏ ମରେ ।

 

କେବେ କେମିତି ପୁନେଇ ପାଖିଆ ଜୁଆର ଉଠେ, ତୋଫାନ ବର୍ଷା ମାଡ଼ି ଆସେ । ସମୁଦ୍ର ପାଣି ପର୍ବତ ପ୍ରମାଣେ ଉଜାଣି ଉଠେ ବାଙ୍କୁଲି ନାଳରେ । କେତେ ଜାଗାରେ ଘେରିବନ୍ଧ ଡେଇଁ, ବନ୍ଧ ଭାଙ୍ଗି ବିଲରେ ଅକାତକାତ ଲୁଣାପାଣି ମାଡ଼ିଯାଏ । ନୀଚ ଡିହର ଘର ମଥାନ ପାଣିରେ ଭାସେ-। ଚରାଭୂଇଁ ଗୋଚର ଉପରେ ଗାଈ, ବଳଦ ମଇଁଷି ଉବୁଟୁବୁ ହୁଅନ୍ତି । କେତେ ମରନ୍ତି, କେତେ କୁଆଡ଼େ ଭାସି ଯାଆନ୍ତି । ବିଲରେ ଧାନ ଗଛ ସଢ଼େ । ମାଟିରେ ଲୁଣି ଚରେ। ଗହିର ବିଲର ସୁନାଥାଳି ଜମି ଅକାମୀ ହୁଏ । ଥିଲାଘର ପିଲା କଙ୍ଗାଳ ହୁଏ । ଦାଣ୍ଡରେ ହାତ ପାତି ବୁଲେ-। ପାଚିଲା କିଆ ପଣସର ମିଠା ଭୁଣ୍ଡି ଚୁଚୁମି, ନାଳରେ ମାଛ କଙ୍କାଡ଼ା ଦରାଣ୍ଡି କାମିତି ହେଲେ ପ୍ରାଣ ବଞ୍ଚାଏ । ମଣିଷ ପିଲାରଏତେ ଦୁଃଖ ଦେଖି ଦୂରରୁ ସମୁଦ୍ର ଲହଡ଼ି ଗର୍ଜି ଉଠେ ।

 

ପେଚିର ବାପ ଗୋସାପେ ଭଲରେ ଦିନେ ଘର କରୁଥିଲେ । ନାଳ ସେପାରି ଗହୀର ବିଲରେ କେତେ ଜମି ତାଙ୍କର ଥିଲା । କେତେ ଗୋରୁଗାଈ, ପାଳଗଦା । ଗଦେଇ ସାହୁ ଚଷାଘର ପୁଅ । ଜମିରେ ସୁନା ଫଳଉ ଥିଲେ। ତାଙ୍କର ଅମଳ ସରିଲା । ତାଙ୍କ ପୁଅ ସଦେଇ ସାହୁ ପେଚିର ବାପ । ନିକପାଳିଆ ।

 

ପେଚି ଜନମ ଆଗରୁ –

କାର୍ତ୍ତିକ ମାସ, ବିଲରେ ସାବୁଜା ଧାନ ଠିଆ ହୋଇଛି, ଆସିଲା ତୋଫାନ, ବର୍ଷା, ଜୁଆର-। ସମୁଦ୍ରପାଣି ମାଡ଼ି ଆସିଲା । ଦେଖୁ ଦେଖୁ ନାଳ, ଷଣ୍ଢକୁଦ ନଈ ଦିପାଖ ଡେଇଁ ଲୁଣିପାଣି ବିଲରେ ମାଡ଼ିଲା । ଦଶ ମାଇଲ ବାଟ ଅନନ୍ତପୁର ଯାଏ ପାଣି ଛୁଟିଲା । ଧାନ ସଢ଼ିଲା । ଗୋରୁଗାଈ ମଲେ । କେତେ ମଣିଷ ପିଲା କୁଆଡ଼େ ହଜିଲେ । ଘରଦ୍ୱାର ଭାଙ୍ଗିଲା ।ବତାସ କମିଲା, ପାଣି ଛାଡ଼ିଲା । କିନ୍ତୁ, ମଣିଷ ହେଲା ଅନାଥ ।

 

ସଦେଇ ସାହୁର ଜମିରେ ଲୁଣି ଚରିଲା । ପୁଣି, ସେହି ଜମି ଉପରେ ନାଳ ଫିଟିଲା । ଗାଈଗୋରୁ ମଲେ । ଗାଈଗୋରୁ ମଲେ । ପୋଷଣାହାରୀ ବଡ଼ ପୁଅ ବଟିଆର ହୁଲି ଲେଉଟିଲା । କୁଆଡ଼େ ସେ ହଜିଲା କେହି ଜାଣିଲେ ନାହିଁ । ଘରର ଘରଣୀ ସେରେନ୍ତି, ବାଲି ମାଡ଼ରେ ମୂର୍ଚ୍ଛା ହେଲା, ଏଇ ବାଲୁଙ୍କେଶ୍ୱର ମହାଦେବ ପାହାଡ଼ ତଳେ । ବାୟାର ଉଡ଼ା ବାଲିରେ ପୋତି ହୋଇ ମଲା । ତିନିଦିନ ପରେ ଲୋକେ ଦେଖିଲେ ଲୁଗାକାନି । ଖୋଳି କାହାର କଲେ ।

 

କେତେ ଲୋକ କାଙ୍ଗାଳ ହେଲେ । ଅଧା ବଅସରେ ସଦେଇ ମଧ୍ୟ କଙ୍ଗାଳ ହେଲା । ଦୁନିଆଁରେ ଏକା ସେ । ମୋଅର ବୋଲି କହିବାକୁ କେହି ନାହିଁ । ମୋଅର ବୋଲି କହିବାକୁ କିଛି ନାହିଁ । ଘରଦ୍ୱାର ଛାଡ଼ି ଚାଲିଯିବ ଆସାମ, ରାଙ୍ଗାମ, କାଳିମାଟି ? ପଛରୁ କିଏ ତାଆର ଗୋଡ଼ ଟାଣି ଧରିଲା- ଏଇ ତ୍ରିଲୋଚନପୁରର ବାଲି ପାହାଡ଼ -ଆଉ, ତାଆରି କନ୍ଦିରେ, ସନ୍ତସନ୍ତିଆ ଉପତ୍ୟକା ଭୂଇଁର କିଆ, ହେନ୍ତାଳ, କଂସାରୀନଟା ମଝିରେ ପୂର୍ବପୁରୁଷର ଯେଉଁ ଅଶରୀରୀ ଆତ୍ମା ସବୁ ଖେଳି ବୁଲନ୍ତି, କାନରେ ଯେପରି କହନ୍ତି, ଆମକୁ କିଏ ପାଣି ଦେବରେ ସଦେଇ ?

 

ତ୍ରିଲୋଚନପୁରର ଉଚ୍ଚ ବାଲିଗଦା ମାଳ ମଝିରେ ଯେଉଁ ଲହଡ଼ିଆ ଭୂଇଁ, ଯେଉଁଠି କେତେ ଅରକ୍ଷିତ ବସା ବାନ୍ଧିଲେ, ସଦେଇ ମଧ୍ୟ ସେଇଠି ତାଆରି ନୂଆ କୁଡ଼ିଆ ରଚିଲା, ନୂଆଁଣିଆ କରି । ନାଳ କୂଳର ଡେଙ୍ଗା କିଆଗଣ୍ଡି ହେଲା ଘରର ଖୁଣ୍ଟ । ବାଲି ଅପନ୍ତରାର ହେନ୍ତାଳ ହେଲା ରୁଅ । ବସା ବାନ୍ଧିଲା । ମୂଲ ଲାଗି, ମାଛଧରି ପେଟ ପୋଷିଲା । ବସା ବାନ୍ଧିଲା, ପୁଣି ନାଳ ସେପାରି ଲୁଣଚରା ଜମିକୁ ଚାହିଁ ଆଶା ବାନ୍ଧିଲା-ଲୁଣି ଛାଡ଼ିବ, ପୁଣି ଜମିରେ ଧାନ ଫଳେଇବ, ଘର କରିବ, ପୁଣି ସେ ଘର ଧନଧାନ୍ୟ ଗୋପଲକ୍ଷ୍ମୀରେ ପୂର୍ଣ୍ଣ ହେବ ।

 

ସେହି ଆଶା ମଝିରେ ମୂଲିଆ ଘରର ଝିଅ ଚେମିକୁ ଆଣିଲା ଆହୁରି ଥରେ ଘରଣୀ କରି-। ଅଧା ବଅସରେ, ଯେତେବେଳେ ମୁଣ୍ଡର ବାଳ ଦରପାଚିଲା ହୋଇଥିଲା, ପାନଖିଆ ଦାନ୍ତ ଦିପାଟି ଝଡ଼ି ପଡ଼ିଥିଲା, ସେତିକିବେଳେ ଚଉଦ ବରଷର ଝିଅ ଚେମିକୁ ସେ ଘରଣୀ କଲା । ନୂଆକରି ସଂସାର ପାତିଲା । ଆହା, ଚେମି ବି ଦିନେ ଭଲଘରର ଅଳିଅଳି ଝିଅ ଥିଲା ! ବିଜୁଳିକାଠି-। ଚନ୍ଦ୍ରଉଦିଆ ମୁହଁ ଦେଖି ସଦେଇ କଥା ପକେଇଥିଲା ତାକୁ ଘରକୁ ବୋହୂକରି ଆଣିବ । ଭେଣ୍ଡାପୁଅ ବଟିଆ ହାତରେ ଛନ୍ଦିବ । କେଡ଼େ ସୁନ୍ଦର ଲକ୍ଷ୍ମୀନୃସିଂହ ପରି ଦିଶିବେ ।

 

ବଟିଆ ହଜିଲା । ଚେମି ହେଲା ଅନାଥିନୀ । ଚେମି ପୁଣି ଆସିଲା ସଦେଇ ସାହୁ ଘରକୁ । ବୋହୂ ହୋଇ ନୁହେଁ, କନିଆଁ ହୋଇ । ଯେଉଁ ପେଟରୁ ନାତି କି ନାତୁଣୀ ଜନମିଥାନ୍ତା, ସେହି ପେଟରୁ ଜନ୍ମିଲା ପୁଣି ଝିଅ, ପେଚି ।

 

ହେତୁ ପାଇଲା ଦିନୁ ବାପକୁ ସେ ଦେଖିଛି ବୁଢ଼ା ଆଉ ମା କେଡ଼େ ସୁନ୍ଦର ! ମୂଲିଆ ଘରେ ଜନମ ! ବାପ ମା ଦିହେଁ ମୂଲ ଲାଗନ୍ତି । ପେଚି ମା ପଛେ ପଛେ ଲାଙ୍ଗୁଡ଼ ପରି ଲାଗିଥାଏ ।

 

ଗହୀର ବିଲର ଲୁଣ ଛିଡ଼ିଲା । ଗାଆଁଲୋକେ ଆହୁରି ଉଚ୍ଚକରି ଘେରି ବନ୍ଧ ପକାଇଲେ । ପୁଣି ଜମିରେ ଧାନ ଫଳିଲା, କିନ୍ତୁ ବୁଢ଼ା ସଦେଇର ଜମି ପଡ଼ିଲା ଘେରିବନ୍ଧ ବାହାରେ । ଜମି ମଝିରେ ନୂଆ ନାଳ ଫିଟିଛି । ଉପାୟ ନାହିଁ । ପ୍ରତିବର୍ଷ ଲୁଣପାଣି ମାଡ଼ି ଜମିକୁ ଚିରଦିନ ପାଇଁ ଅକାମୀ କରିଛି । କେତେ ଲୋକଙ୍କର ଦୁଃଖ ଫେରିଲା; କିନ୍ତୁ ସଦେଇ ଚେମି ମୂଲିଆ ମୂଲିଆଣୀ ହୋଇ ରହିଲେ । ପେଚି ହେଲା ମୂଲିଆର ଝିଅ ।

 

ଖରାଦିନେ-ଯେତେବେଳେ ଅନ୍ୟ ଜାଗାରେ ନଈ ନାଳ ଶୁଖି ଠାଉଠାଉ ହୁଏ, କୁଜଙ୍ଗ ରାଇଜର ମଟାଳିଆ ଲୁଣିରସା-ମାଟି ପଥର ପରି ଟାର ହୁଏ । ତ୍ରିଲୋଚନପୁର ପୂର୍ବପଟର ବାଙ୍କବାଙ୍କିଆ ନାଳରେ ଆଣ୍ଠୁ ବୁଡ଼ ପାଣି ରହେ। ଜୁଆର ଛାଡ଼ି ଛାଡ଼ି ଆସିଲେ ଗାଁ ମାଇପେ ପାଣିରେ ପଶନ୍ତି । ମାଛ ଧରନ୍ତି । ଘଣ୍ଟା ଦୁଇଟାରେ ଟୋକେଇ ଅଧା କରି ଲୁଣିମାଛ ଘରକୁ ଆଣନ୍ତି-। ଗରିବ ଗୁରୁବାଙ୍କର ଏହି ମାଛ ଶୁଖୁଆରେ ବେଳ କଟେ ।

 

ପେଚିକୁ ଯେତେବେଳେ ଦଶବରଷ, ଚଇଁଆଁଟି ବରଷକର, ଠୁକୁ ଠୁକୁ ହୋଇ ଚାଲେ । ଗୁଲୁ ଗୁଲୁ କରି କଥା କହେ । ଦିନ ପ୍ରାୟ ଦଶଟା ହେବ । ବୈଶାଖ ମାସ । ସଦେଇ ଯାଇଛି ପରି ଗୁଡ଼ିଆର ମୂଲ ଲାଗି । ଚଇଁଆଁକୁ କାଖକରି ପେଚି ତାଆର ମାଆର ପଛେ ପଛେ ନାଳ କୂଳକୁ ଆସିଲା । ଚେମି ଆଉ ଗାଁ ମାଇପଙ୍କ ସାଥିରେ ନାଳରେ ପଶି ଖିଅ ଦେଇ ମାଛ ଧରିଲା । ଅଧଟୋକେଇଏ ମାଛ ହେଲା ଠେଇଁ ବି ମନ ଛାଡ଼ିଲା ନାହିଁ । କଙ୍କଡ଼ା ଗାତରେ ହାତ ପୂରେଇ ଦି ଚାରିଟା କଙ୍କଡ଼ା ନ ନେଲେ ନ ହୁଏ । ଚେମିର କଙ୍କାଡ଼ା ଠେଇଁ ଶରଧା ।

 

ହାତରେ ଗୋଟାଏ କଅଣ କାମୁଡ଼ି ଦେଲା । ଜିଅନ୍ତା ଚମରେ ପାଚିଲା ଲୁହାକଣ୍ଟା ଫୋଡ଼ିଲା ପରି ଚେମି ମଣିଲା । ବିନ୍ଧା ଛିଟିକା ସହି ନ ପାରି ଘରକୁ ଫେରିଲା । ସେଇ ହେଲା ନିଦାନ ।

 

ଯେଉଁମାନେ ବୁଢ଼ା ସଦେଇ ପାଖରେ ଟୋକୀ ଚେମିକୁ ଦେଖି ଚୁ ଚୁ କରନ୍ତି, ସେହିମାନେ ପୁଣି ଶେଷକୁ କହିଲେ, ଧନ୍ୟ ଲୋ ଅଇଅରାଣୀ !

 

ଚେମି ଅଇଅରାଣୀ ହେଲା । ଔଷଧ ମଉଷଧି କି ଗୁଣିଆର ମନ୍ତ୍ର କାଟୁ କଲା ନାହିଁ ।

 

ଦଶବର୍ଷ ବୟସରେ ଚଇଁଆଁକୁ ପାଳି ମଣିଷ କରିବାର ଦାୟିତ୍ୱ ପଡ଼ିଲା ପେଚି ଉପରେ । ଗାଁ ଲୋକେ ପରିହାସ କରି ସଦେଇକୁ କହିଲେ, ଆରେ ସଦା, ଦାନ୍ତ ପୁଣି ଉଠିବ ଯେ । ଚନ୍ଦା ମୁଣ୍ଡରେ ବିଛୁଆତି ଗୁଳି ଘସ, ବାଳ କଅଁଳିବ । ଆଉ ଥରେ ତୃତୀୟ ପକ୍ଷଟିଏ ହେଉ । ସଦେଇର ମୁଣ୍ଡ ନଇଁ ଆସେ । ଜବାବ ଦିଏ ନାହିଁ । ଲୋକେ ତ କହିବେ ।

ଦୁଇ ବରଷ କଟିଗଲା । ପେଚି ଦିଶିଲା ଛନଛନିଆଁ । ଅବିକଳ ମାଆ ପରି । ସୁନ୍ଦରଟିଏ-। ନ ଚାହିଁବା ଲୋକ ମୁହଁକୁ ଚାହିଁଲେ । ନ କହିବା ଲୋକ ଉପରେ ପଡ଼ି ପଦେ ପଚାରିଲେ, କିଲୋ ପେଚି, କୁଆଡ଼େ ଯାଉଛୁ ? ଶୁଉଣୁ ବା-

 

ସଦେଇ ବୁଝିଲା ! ବୁଢ଼ା ହେଲେ ବି ଅଧା ବଅସରେ ତ ପୁଣି ଜୀବନଟାକୁ ନୂଆକରି ଉଝାଳି ନେଇଥିଲା । ପାସୋରି ଯାଇନାହିଁ ।

 

ତାଆରି ପରି ମୂଲିଆମୁଣ୍ଡ ଜଣେ, କୁଜଙ୍ଗଗଡ଼ରେ ଘର, ସିଧା ସଳଖ ବାଟ କୋଶେ ହେବ ନ ହେବ, ତାହାରି ପୁଅ ମଣିଆ ହାତରେ ପେଚିକୁ ଛନ୍ଦି ଦେଲା ସଦେଇ ସାହୁ । ଶାଶୁଘର ମଥାନତଳେ ମାସ ଦୁଇଟା ରହି ପିଲାଝିଅ ପେଚି ଫେରି ଆସିଲା ବାପ ଘରକୁ । ମା ଛେଉଣ୍ଡ ଚଇଁଆଁ ପେଚିର ମନେ ପଡ଼ିଲା, କିଏ ତାକୁ ଖୋଇଦେବ ? କିଏ ତାକୁ କୋଳରେ ପୂରାଇ ଧୂଏ ବାଇଆ କରିବ ? ଆହା, ମା ଛେଉଣ୍ଡି ପିଲା ! ଅପାକୁ କେଡ଼େ ଭଲ ପାଏ, ଦଣ୍ଡେ ନ ଦେଖିଲେ ବଣା ହୋଇ ଯାଏ ।

 

କିଛି ଦିନ କଟିଗଲା ଦିନେ ଦୁଇପହରେ ତିନି ବରଷର ପୁଅ ଚଇଁଆଁ ବାଡ଼ି ଖଣ୍ଡେ ଧରି କୁଡ଼ିଆ ଘରୁ ଗାଁ ଦାଣ୍ଡକୁ ବାହାରି ପଡ଼ିଲା । ଗାଁ ଚଉକିଆଙ୍କର କୁହାଟ ଶୁଭିଲା, ଆର୍‌ ଗିର୍‌ ଗିର୍‌ ଗିର୍‌ ଗିର୍‌ । ଷଣ୍ଢ ଲଢ଼େଇ । ପେଚି ଚାରିଆଡ଼କୁ ଚାହିଁଲା । ଚଇଁଆଁ ନାହିଁ । ଅଧାକାମ ଛାଡ଼ି ସେ ଧାଇଁଲା ଗାଁ ଦାଣ୍ଡକୁ । ଆଖି ଖୋସି ଦେଲା । ବାଲି ଦାଣ୍ଡ ଉପରେ ଷଣ୍ଢ ଦିଇଟା ମୁଣ୍ଡକୁ ମୁଣ୍ଡ ଲଗାଇ ଠେଲା ଠେଲି ହେଉଛନ୍ତି । ଚଇଁଆଁ ତଳେ ବାଡ଼ି ପିଟି ପାଖକୁପାଖ ଲାଗି ଯାଉଛି । ଦୂରେଇ କରି ଗାଁ ପିଲାଏ ଠିଆ ହୋଇ ତାଳି ମାରି ପାଟି କରୁଛନ୍ତି ।

 

ପେଚି ହାଁ ହାଁ କରି ପାଖକୁ ଧାଇଁ ଗଲା । ଚଇଁଆଁର ଡେଣା ଧରି ଆଣୁଥିଲା, ଷଣ୍ଢ ଦିହେଁ ଫିଟିଗଲେ । ମାରଣା ଷଣ୍ଢ ପେଚି ପଛରେ ଗୋଡ଼ାଇ ପଛ ଆଡ଼ୁ ମୁଣ୍ଡିଆ ମାରିଲା ପେଚି ତଳେ ପଡ଼ିଲା । ହାତରୁ ଖସି ଚଇଁଆଁ ଖଣ୍ଡେଦୂର ଛିରିକି ଆସିଲା । ଲୋକେ ତାକୁ ଧରି ନେଲେ । ବାଡ଼ି ଧରି ଷଣ୍ଢ ପାଖକୁ ଲୋକେ ଧାଇଁ ଗଲେ, କିନ୍ତୁ ଷଣ୍ଢ ପେଚିକୁ ଦୁଇ ତିନି ଭୁଷା ଦେଇଥିଲା । ବାଁ ନଳୀଗୋଡ଼ ଉପରେ ଷଣ୍ଢର ଖୁରା ପଡ଼ିଲା । ପାଦ ଉପରେ ମଧ୍ୟ । ସବୁ ଘଟଣା ମୁହୂର୍ତ୍ତକରେ ଘଟିଲା ।

 

ପେଚି ଚାରିମାସ କାଳ ବିଛଣାରେ ପଡ଼ି ମରଣ ସଙ୍ଗେ ଯୁଝି କେତେ କଷ୍ଟରେ ବଞ୍ଚିଲା ସିନା, ବାଁ ଗୋଡ଼ଟି ଅକାମୀ ହେଲା । ପାଦ ହେଲା ବଙ୍କା । ନଳୀ ଗୋଡ଼ ବାଉଁଶ ପରି ସରୁ । ଗୋଡ଼ ଆଉ ତଳେ ଲାଗିଲା ନାହିଁ । ବେଶିରା ହାଡ଼ ଅଖଞ୍ଜ ହୋଇ ରହିଲା । ପେଚି ହେଲା ଅକାମୀ । ବାଡ଼ି ଧରି ଚାଲେ । କାମ କରି ପାରେନାହିଁ । ବସିଲା କାମ ଘୋଷାରି ହୋଇ କରେ ।

 

ତଥାପି, ପେଚି, ଚଇଁଆଁକୁ କୋଡ଼ରେ ଧରେ, ଚଇଁଆଁର ଯତ୍ନ ନିଏ । ସଦେଇ ଚାହେଁ ଝିଅ ମୁହଁକୁ । ପେଟ ଭିତରୁ କାନ୍ଦର କୋହ ଉଠେ । କିଛି କହେ ନାହିଁ । ଦିନ ରାତି ଖଟେ । ଯାହା ଆଣେ ପେଚି ଆଗରେ ଥୋଇ ଦିଏ । ପେଚି ସେମିତି ଘୁଷୁରି ହୋଇ କାମ କରେ ।

 

ଅଜାଣତରେ କେବେ ଦିନ ଯୌବନ ଆସି ପେଚିର ଦେହରେ ହାତ ବୁଲେଇ ଦେଲା । ପୁନେଇଁ ଜହ୍ନର ତୋରା ମୁହଁପରି ପେଚିର ମୁହଁ ଉଜଳି ଉଠିଲା । ପୂରି ପୂରି ଉଠିଲା ଦେହ ଜାତ । ମନରେ ଲାଗିଲା ମଳୟ । ଆଖିରେ ସପନ ପୁରୀର କୁହୁକ । ନାଲି ନାଲି ଓଠ ଦି ଫାଳରେ ଖେଲିଳା ବିଜୁଳି ।

 

ସଦା ବୁଝିଲା ।

 

ଦିନେ ଗଡ଼ କୁଜଙ୍ଗ ଗଲା ।

 

ଛୋଟି, ଅକାମୀ ପିଲାକୁ ବୋହୂ କରି ଘରକୁ ନେବାକୁ ମଣିଆଁର ବୁଢ଼ା ବାପ ମଙ୍ଗିଲା ନାହିଁ । ସଦେଇ ତାଆର ଗୋଡ଼ ଧରିଲା । ଉତ୍ତର ପାଇଲା, କେମିତି କଥା କହୁଛ ହେ । ଆରେ, ଆମେତ ମୂଲିଆ ମୁଣ୍ଡ । ବୁଢ଼ା ବଢ଼ୀ ଦିହେଁ ଆମେ ଅପାରଗ । ଏକା ମଣିଆଁର ମୂଲରେ ଓଳିଏ ଖାଇଲେ ଦିଓଳି ଓପାସ ରହୁଛୁ । ଛୋଟି ନିପାରିଲା ମାଇପିଟାକୁ ଆଣି ପୋଷିବାକୁ ଆମ କାଢ଼ କାହିଁ ?

 

ସଦେଇ ଗୁହାରି କଲା ଗ୍ରାମବାସୀଙ୍କ ଆଗରେ ।

 

ସମସ୍ତେ ସହାନୁଭୂତି ଦେଖାଇଲା । ମଣିଆଁ ବାପାକୁ ବୁଝାଇ କହିଲେ । ବୁଢ଼ାର ଏକା ନାହିଁ । ହାତଯୋଡ଼ି କହିଲା, ଜମି ବାଡ଼ିତ ଗୁଣ୍ଠେ ନାହିଁ । ଗ୍ରାମବାସୀଏ ତେମେ ତିନିଅଣା ମୂଲରୁ ତେର ପଇସା ଦେବ କି ? ବୋହୂ ସୁନ୍ଦର, ସଖୀ କଣ୍ଢେଇ । ମୋଓର ସଖୀ କଣ୍ଢେଇ କଣ ହେବ ହେ ? ନାଟ କରିବ ? ଯେଉଁମାନେ ଭୋଗଭାଗ୍ୟରେ ଅଛନ୍ତି, ସେମାନେ ସିନା ଫୁଲ ଚନ୍ଦନ ଦେଇ ରୂପଥିଲା ବୋହୂକୁ ପୂଜା କରିବେ ! କହତ ଭଲା, ପେଚି କଅଣ ପୋଖରୀ କୂଅରୁ ପାଣି ଆଣିବ ? ଢିଙ୍ଗି ମୁଣ୍ଡାରେ ଗୋଡ଼ ଦେବ ? ଦାଆ ଧରି ଧାନ କାଟିବ ? ମୁଣ୍ଡରେ ବୋଝ ବୋହିବ ? ପିଲା ଛୁଆ ହେଲେ ତାଙ୍କର ସେବା କରିବ କିଏ ? କାହିଁକି, ଅସୁନ୍ଦର ହେଉ ପଛେ, ଟାଣୁଆଁ ଦେଖି ବୋହୂଟିଏ ଆଣିବି ନାହିଁ ? ମୂଲ ଲାଗିଲେ ଦଶ ପଇସା ଘରକୁ ଆଣିବ ତ !

 

ସଦା ହତାଶ ହୋଇ ଫେରିଲା ।

 

ଯେଉଁଦିନ ଖବର ପାଇଲା, ମଣିଆଁର ବାହାଘର ଆଉଠାଏ ଠିକଣା ହେଉଛି, ପୋପରଡ଼ା ଗାଁରେ, ସଦା ପୁଣି ବାଇଆ କୁକୁର ପରି ଏଣେ ତେଣେ ଧାଇଁଲା । ଝିଅ କଥା ସମସ୍ତଙ୍କୁ କହିଲା । କେହି ସାହା ଭରସା ନାହିଁ । ମନରେ ଦମ୍ଭ ଆଣିଲା ଭଳି ପଦେ କଥା କହିଲେ ନାହିଁ । କାଉଳି ବାଉଳି ହୋଇ ସଦା ଗଲା ପୋପରଡ଼ା ।

 

ଫଳ ହେଲା ବିପରୀତ । ପଞ୍ଚାୟତ ଆଗରେ ମଣିଆଁର ବାପ ନିଧାର୍ଯ୍ୟ ଜବାବ ଦେଲା, ସେ ଆଉ ପେଚିକୁ ଘରେ ଥାନ ଦେବ ନାହିଁ । ଜବାବ ପାଇ, ମଣିଆଁ ବାପର ହାତରେ ତମ୍ବାତୁଳସୀ ଦେଖି ପୋପରଡ଼ାବାଲା ମଙ୍ଗିଲେ । ବାହାଘର ହେଲା । ନୂଆବୋହୂ ମଣିଆଁର ଘରକୁ ଅଇଲା ।

 

ଏତେଦିନ ଯାଏ ପେଚି ସଂସାରର ଭଲମନ୍ଦ କଥା ଭାବି ନ ଥିଲା । ନଡ଼ିଆର କେଉଁ ସିଅରେ ପାଣି ପଶେ ଜାଣି ନ ଥିଲା । ଏବେ ବୁଝିଲା, ସଂସାର ତାଆର ସରିଛି । ଜୀବନ ଯୌବନ ତାଆର ବୃଥା । ନିରୋଳାରେ ଆଖିରୁ ଗଡ଼ିଲା ଲୁହ । ଛାତି ହାଡ଼ ଥରାଇ ନିଶ୍ୱାସ ଛୁଟିଲା । ରୂପ ମଉଳି ଆସିଲା । ଆଖିର ଜ୍ୟୋତି ହେଲା ନିଷ୍ପଭ୍ର । ଓଠରୁ ନିଭିଲା ହସ । ସେ ଭାବିଲା, ଖାଲି ଭାବିଲା –

 

ପେଚିର ନିଶ୍ୱାସରେ ବର୍ଷ ନ ପୁରୁଣୁ ମଣିଆଁର ବାପ ମା ଡକାଡକି ହେଲାପରି ଚାଲିଗଲେ । ସଦା ପୁଣି ବାନ୍ଧିଲା ସାହସ-। ହଁ, ସଉକୀ ମଣିଷ ଗୋଟାଏ କାହିଁକି ତିନିଟା ବାହା ହେଉଛନ୍ତି । ମଣିଆଁ ମରଦ ପୁଅ, ଆଉ ଗୋଟାଏ ବାହା ହେଲାତ କଅଣ ହୋଇଗଲା । ପେଚିର ମଉଳା ସରାଗ କିନ୍ତୁ ସଜାଗ ହେଲା ନାହିଁ । ଭାବେ, ହେଉ ବୁଢ଼ାଦିନେ ବାପ ମନ ବୋଧ କରୁଥାଉ-। ଚଇଁଆଁ ସଙ୍ଗେ ହସି ଖେଳି ପେଚି ବେଳ କଟାଏ ।

 

ଦିନେ ବାପ ତାକୁ ପାଖକୁ ଡାକି କହିଲା, ଜୀବନ ସଉଦା କଥା । ଏଥକୁ ମାନ ଅଭିମାନ କଅଣ ? ଚାଲ ପେଚି, ମଣିଆଁ ଘରକୁ ଥରେ ଯିବା । କେହି ଦେଖିବେ ନାହିଁ । କେହି ଜାଣିବେ ନାହିଁ । କେତେ ଦିନ ଆଉ ବଞ୍ଚିବି ? ତତେ ଦେଖିଲେ କେଜାଣି ତାଆର ମନ ବଦଳିବ । ହାତ ଧରିତ ପୁଣି ବାହା ହୋଇଥିଲା ।

 

ପେଚିର ଆଖିରେ ଅବଜ୍ଞାର ଭାବ ।

 

ସଦା ବୁଝିଲା । କହିଲା, ନାହିଁ କରନା ମା । ଉପରେ ଭଗବାନ ଅଛନ୍ତି । ମଣିଆଁ ଭଲ ପିଲା । ସବୁ କଥା ବୁଝେ ।

 

ପେଚି ମୁହଁ ଖୋଲିଲା, ତେମେ ଏକା ଯାଅ ।

 

ସଦା ବଳେଇଲା ନାହିଁ ।

କେଡ଼େ ଆଗ୍ରହରେ ସେ ଦିନେ ଯାଇଥିଲା । ରାତି ଅଧଯାଏ ଛଟପଟ ହୋଇ ପେଚି କେତେ କଥା ଭାବୁଥାଏ । କେତେ ଠାକୁରଙ୍କ ପାଖରେ ମାନସିକ କରୁଥାଏ । ରାତି ଅଧରେ ବାପ ଫେରିଲା । କିଛି କହିଲା ନାହିଁ ।

 

ଦିନ ପରେ ଦିନ ଗଡ଼ିଗଲା । ସଦାର ତୁଣ୍ଡରୁ ମଣିଆଁର ନାମ ଶୁଣାଗଲା ନାହିଁ । ପେଚି ସବୁ କଥା ବୁଝି ପାରିଲା । ଚଇଁଆଁକୁ ଗେଲ କରି ଶାନ୍ତି ପାଇଲା । ଏଇ ଟିକି ଭାଇଟି ତାଆର ସବୁ-। ସେଇଆକୁ ମଣିଷ କରିବାକୁ ସେ ବଞ୍ଚିବ । ସବୁକଥା ଭୁଲିବ ।

 

ସଦା ଅକାମୀ ହେଲା । ଦିନ କେଇଟା ଜରରେ ପଡ଼ି ସେ ମଧ୍ୟ ଆଖି ବୁଜିଲା । ତିନି ବର୍ଷର ପିଲା ଭାଇକୁ କୋଳରେ ଧରି ପେଚି ଚାହିଁଲା ଆକାଶକୁ । ତାଆର ଅଲୋଡ଼ା ଜୀବନ ଯାଉ ପଛେ, ପିଲାଟା ମେକିତି ହେଲେ ବଞ୍ଚୁ ।

 

ପେଚି ପର ଘରେ ପାଇଟି କଲା । ଘର ଲିପା, ଗୁହାଳ ପୋଛା । ଦାଆ ଧରି ନିଜେ ଧାନ କାଟି ଯାଏ । ନାଳରେ ପଶି ମାଛ କଙ୍କଡ଼ା ଧରେ । ଗାଈ, ଗୋରୁ, ଛେଳି, ମେଣ୍ଢା ଜଗେ । ଗୋବର ଗୋଟେଇ ଘସି ପାରେ; ବିକେ । ନିଜ ଶକ୍ତିକୁ ଚାହିଁ ସେ ପରିଶ୍ରମ କରେ ରାତି ଅଧଯାଏ । ନିଜେ ପାଣି ତୋରାଣି ପିଇ ଚଇଁଆଁକୁ ଭାତ ଖୋଇଦିଏ ।

 

ପେଚି ଗରିବ । ପେଚି ନିପାରିଲା, ତଥାପି ପର ଚିଜକୁ ଆଡ଼ ଆଖିରେ ଚାହେଁ ନାହିଁ । ସୁଧର ପୋଷା ବିଲେଇ ଯେପରି ଭାତଥାଳି ଜଗି ବସିଥାଏ, ହାତ ଟେକି ତଳେ ନ ଦେଲେ କାହିଁରେ ମୁହଁ ମାରେ ନାହିଁ, ପେଚି ସେମିତି ସୁନାମୁଣ୍ଡାକୁ ଅନାଏଁ ନାହିଁ । ହାତ ଟେକି ନ ଦେଲେ କାହିଁରେ ହାତ ଦିଏ ନାହିଁ । ସେଥିପାଇଁ ଗାଁଲୋକେ ତାକୁ ଭଲ ପାଆନ୍ତି । ଗାଁ ମାଇପେ ଶ୍ରଦ୍ଧାରେ ମୁଢ଼ି ଗଣ୍ଡାଏ, ପିଠା ଖଣ୍ଡେ ଦିଅନ୍ତି । କିଏ କେମିତି କେବେ ଚିରା ଫଟା ଲୁଗା ଖଣ୍ଡେ ତା ଉପରକୁ ପକେଇ ଦିଅନ୍ତି । ନିହତ ଭଲ ବୋଲି ସମସ୍ତେ ତାକୁ ପ୍ରଶଂସା କରନ୍ତି ।

 

ପେଚି ମନରେ ଗର୍ବ ଆସେ । ସେ ଭାବେ, ଲୋକେ ଧନ ସମ୍ପତ୍ତି ବଡ଼ପଣ ନେଇ ସୁଖରେ ରହନ୍ତୁ । ତାଆର ଧନ ସମ୍ପତ୍ତି ତାଆରି ନିହତ । ଜୀବନ ଯାଉ ପଛେ, ନିହତ ଥାଉ ।

 

ବୋହୂ ଝିଅ ମନର ଛପିଲା କଥା, ବିଶ୍ୱାସ କଥା ପେଚି ଆଗରେ କହନ୍ତି । ପେଚି ଗମ୍ଭୀର ହୋଇ ସବୁ ଶୁଣେ । ସହାନୁଭୂତିରେ ଆଖିରୁ ପାଣି ନିଗାଡ଼େ । ଖୁସିରେ କେବେ ଓଠରେ ହସ ଖେଳାଏ । ବେଳେ ବେଳେ ଭଲକଥା ପଦେ କହେ । ତର୍କ କରେ ନାହିଁ । ଯେଝା କଥା ଯେଝାର । ଭଲ ମନ୍ଦ ସେ ସବୁ ଜାଣେ । ଜିଭକୁ ପଥର କରେ । ସମସ୍ତେତ ତାଆରି । ସେ ବି ସଭିଙ୍କର । କାହା କଥା କାହା ଆଗରେ କହିବ ?

 

ବେଳ ଗଡ଼ିଚାଲେ ।

କେବେ କେମିତି ତାରୁଣ୍ୟ ମଥା ଟେକେ ମନ ଗହନ ଭିତରୁ । ଆଖି ଖୋଲି ଚାରିଆଡ଼କୁ ଅନାଏଁ । ମନେ ହୁଏ, ଟୋକା, ଦରବୁଢ଼ା, ଗାଁ ହିସାବରେ ଭାଇ, ଦାଦି, ମଉସା ସମସ୍ତେ ଲୋଭିଲା ଆଖିରେ ତା ଆଡ଼କୁ ଚାହିଁଛନ୍ତି । ସେ ଛୋଟି, କିନ୍ତୁ ଦେହରେ ପୂରିଲା ପୂରିଲା ମାଂସ । ଆଖିରେ ଢଳ ଢଳ ଆବେଗଭରା ଚାହାଣି । ଛାତି ତଳର ତରୁଣ ଆତ୍ମା ଆଉ ମନର ମାତୃତ୍ୱ କାମନା ତ ଛୋଟା ନୁହେଁ !

 

ପେଚି ବିଚଳିତ ହୁଏ । ପୁଣି ତାଆର ନିଃସହାୟ ଅବସ୍ଥା ଲଗାମ ହୁଗୁଳା ମନକୁ ପଛକୁ ଟାଣେ । ଦୃଷ୍ଟି ଆଗରେ ପରଳ ମାଡ଼େ । ଆଖି ବୁଝେ ! ଆଖି କୋଣରୁ ଝରି ଆସେ ତତଲା ଲୁହ । ବୁଜିଲା ଆଖିର ଅନ୍ଧାର ଭିତରେ ଦୁଇଟି ରୂପ ପାଖା ପାଖି ଦିଶନ୍ତି, ମଣିଆଁ ଆଉ ଚମ୍ପା । ଦେହ ଥରି ଉଠେ । ଅଭିଶାପ ଦେବାକୁ ମନ ଡାକେ । ଅଭିଶାପ ଦେଇ ପାରେ ନାହିଁ । ମଣିଆଁ ତାଆରି ବର ।

 

ମଣିଆଁ ତାଆରି ବର । ଅବସ୍ଥା ତାଙ୍କୁ ଅଲଗା କରିଛି । ତଥାପି ମଣିଆଁର ମନ୍ଦ ମନାସିବ ନାହିଁ । ଚମ୍ପାକୁ ଗାଳିଦେବ ନାହିଁ । ସେ ଆଗ । ଚମ୍ପା ପଛ । ଚମ୍ପାର କାଚ ବଜର ହେଉ । ସୁଖରେ ସେମାନେ ଘର କରନ୍ତୁ । ଦେବତାର ସବୁ ଅଭିଶାପ ତାଆରି ମୁଣ୍ଡରେ ପଡ଼ୁ । ପେଚି ସେମାନଙ୍କର ସୁଖର ସଂସାରର ଅନ୍ତରାୟ ହେବ ନାହିଁ । ସେମାନଙ୍କ ମନରେ ଧାରଣା ଆଣିବ ନାହିଁ ଯେ ତାଙ୍କର ଦୁଃଖ ବଢ଼ାଇବାକୁ ଆଉ ଜଣେ ଅଛି, ତାଙ୍କର ସୁଖ ଦେଖି ଆଉ ଜଣେ ଡହଳ ବିକଳ, ହସ୍ତସନ୍ତ, ଛଟପଟ ହେଉଛି ।

 

ଚଇଁଆଁକୁ ଛାତିରେ ଧରେ । ସବୁ ଦୁଃଖ, ସବୁ ଭାବନା ଭୁଲେ ।

 

ଗହୀର ବିଲରେ ଧାନ କାଟିଲା ବେଳେ, କି ବିରି କୋଳଥ ଓପାଡ଼ିଲା ବେଳେ କିଏ କେମିତି ରସୁଆଳ କଥା ଥଟ୍ଟାରେ କହିଦିଏ । ସମୁଦ୍ର ଲହଡ଼ି ଯେମିତି ମୁଣ୍ଡଟେକି ବାଲିବନ୍ତର ପାଦତଳେ କଚାଡ଼ି ହୋଇ ପଡ଼େ, ବାଲି ପାହାଡ଼ ଓଦା ହୁଏ ପଛେ ନଏଁ ନାହିଁ, ସେମିତି ପେଚିର ପଥୁରିଆ ମନ ଆଗରେ ଉତ୍ସୃଙ୍ଖଳ ମଣିଷର ରସୁଆଳ କଥା କଚାଡ଼ି ହୋଇ ପଡ଼େ । ଛିନ୍‌ଛତର ହୋଇ ଫେରିଯାଏ । ପେଚିର ମନ କିନ୍ତୁ ଓଦା ହଏ । ଦେହ ଝିମି ଝିମି ହଏ । ମଣିଆଁକୁ ସୁମରଣା କରି ସେ ଟାଉ ଟାଉ କରି ଧାନ କାଟେ, ବିରି କୋଳଥ ଓପାଡ଼େ ।

 

ନିରୋଳିଆ ବାଲି ପାହାଡ଼ କନ୍ଦିରେ, ଗାଈଗୋରୁ ଚରାଇଲା ବେଳେ, ଏକୁଟିଆ ଦେଖି କିଏ କେଉଁଠୁ ଆସି ତାଆର ହାତ ଧରିଲେ ପେଚି ବଲ ବଲ କରି ତା ମୁହଁକୁ ଚାହେଁ । ଆଗ ବଳିପଡ଼ି କହେ, ଧଡ଼ିଆ ଭାଇ କିରେ, ହରିଆ ଦାଦି, ରହ ରହ, ସାଙ୍ଗ ହୋଇ ଫେରିବା, ବେଳ ବୁଡ଼ି ଆଉଛି । ଗାଈ ଗୋରୁ ଅଡ଼େଇ ଆଣେ ।

 

ଛୋଟି ବାଡ଼ି ଧରି ହସି ହସି କିଆ ବଣ ଉହାଡ଼ରେ ଆର ବାଲିଗଦାର ପଛପଟେ ଲୁଚିଯାଏ । ଏକୁଟିଆ ମଣିଷର ମନକଥା ମନରେ ମରେ । ଏଣେ ତେଣେ ଚାହିଁ ସେ ଜଲଦି ପାହୁଣ୍ଡ ପକାଇ ଫେରେ ।

 

ପେଚି ବାଲି ପାହାଡ଼ ପଛରେ କଚାଡ଼ି ହୋଇ ପଡ଼େ । ଗୋଟାପଣ ଥରେ । ହାଡ଼ରୁ ମାଉଁସ ଚମ ଛିରିକି ଯିବାକୁ ବସନ୍ତି ଯେପରି । ଅଇଲା ଲୋକଙ୍କୁ ଗାଳିଦେବାକୁ ହୁଏ । ଗାଳି ଦିଏ ନାହିଁ । ମନକୁ ବୁଝାଏ । ତାଆର କି ଦୋଷ? ଦୁନିଆଁ ତ ଏମିତି ଚାଲିଛି । ମାଉଁଷ ମେଦରେ, ଚମ ଚହଟରେ ସଭିଙ୍କ ଆଖି । ଏଇ ଅପନ୍ତରାର କିଆ ବଣର କିଆ ଫୁଲ, ସମୁଦ୍ର କୂଳର ଚିତ୍ରଚିତ୍ରିକା ଶାମୁକାପରି, କାହାରି ନୁହେଁ, ପୁଣି ସଭିଙ୍କର । ଯିଏ ଆସିଲା, ଯିଏ ପାରିଲା ହାତ ବଢ଼େଇ ତୋଳି ନେଲା, ଗୋଟାଇ ନେଲା । କ୍ଷଣକ ପାଇଁ ହେଲେ କାନରେ ଖୋସିଲା, ହାତରେ ଧରିଲା । କହିଲା ମୋଓରେ, ମୋଓରେ-

 

ଧଡ଼ିଆ ଭାଇ, ହରିଆ ଦାଦି ପେଚିକି ମଣିଛନ୍ତି ବଣ ଗହଳିର ଅଧିକାରୀ ନଥିଲା କିଆଫୁଲ ପରି, ସମୁଦ୍ରକୂଳର ଶାମୁକା ପରି, କିନ୍ତୁ ସେ ତ ତାହା ନୁହେଁ । ମଣିଆଁ ତାଆର ବର । ମଣିଆଁ ତାଆର ହାତ ଧରିଛି । ମଣିଆଁ ତାଆର ଠାକୁର । ବଗିଚାର ସବୁ ଫୁଲ ତ ଠାକୁର ମୁଣ୍ଡରେ ଚଢ଼େ ନାହିଁ । ସବୁ କିନ୍ତୁ ଠାକୁର ପାଇଁ । କେତେ ଫୁଲ ଫୁଟେ । ଚାହିଁ ଚାହିଁ ମଉଳେ । ଝଡ଼େ । ପେଚି ମଉଳିବ । ମଣିଆଁ ପାଇଁ ଏଇ ବାଲିବନ୍ତ ତଳେ ଝରି ପଡ଼ିବ ।

 

ପେଚି ଉଠେ ।

 

ରାତି ଅଧରେ-

 

ଛପିଛପିକା କୋଉ ମଉସା ପେଚିର ଭଲମନ୍ଦ ବୁଝିବାକୁ ତାଆର ଭଙ୍ଗା କୁଡ଼ିଆରେ ଗୋଡ଼ ଦିଅନ୍ତି । ପେଚି ଡରେ ନାହିଁ । ବସିବାକୁ ପିଢ଼ା ଠେଲି ଦିଏ । ଜନମିଲା ଝିଅପରି ଅଳିକରେ-। ଅକୁହା କଥାର ତୋଫାନ ବହେ ତାଙ୍କ ନାକପୁଡ଼ାରୁ ।

 

ପୋଷାକ ପିନ୍ଧି ଯିଏ ରଜା ସାଜି ଆସନ୍ତି, ରଜାର ମନ, ମଉସାର ମନ ନେଇ ସେ ଫେରନ୍ତି । ପେଚି କହିବା ଆଗରୁ ସେ ଘରେ କହନ୍ତି, ଶୁଣିଲେଣି ହୋ, ଆସୁ ଆସୁ ପେଚି ଘରେ ଡାକେ ଦେଲି । ଆହା, ପିଲାଟା କେଡ଼େ କଷ୍ଟ ପାଉଛି । ରଜାଘର ପିଲା, କପାଳ ଦୋଷରୁ ମୂଲିଆ ହେଲା ସିନା, ମଣିଆଁଟା ଅମଣିଷ- ।

 

ମାଉସୀ ସନ୍ଦେହ କରନ୍ତି ନାହିଁ । ପେଚି ସୁନାମୁଣ୍ଡା, ଏ କଥା ସେ ଜାଣନ୍ତି । ଦରଦୀ କଣ୍ଠରେ କହନ୍ତି, ସତେ ହୋ, କେଡ଼େ ଭଲଟିଏ । ମୋ କୋଳରେ ଯଦି ସେ ଜନମିଥାନ୍ତା, ଆହା-

 

ମଉସା କହନ୍ତି, ଜନମି ନାଇଁ, ଏ କଥା ଭାବୁଛ କାହିଁକି ?

 

ପରଦିନ ସକାଳେ-

 

ପେଚିକୁ ଡାକି ମାଉସୀ ଦିଅନ୍ତି ପିଠା, ପୁଣି ପୁରୁଣା ଲୁଗାଖଣ୍ଡେ । କହନ୍ତି, ଆଲୋ ପେଚି, ତୋ ମଉସା ତତେ ଝିଅ କରିବେ କହୁଥିଲେ ।

 

ପେଚିର ଆଖିରୁ ଲୁହଝରେ । କହେ, ମୁଁ କଅଣ ତାଙ୍କର ଝିଅ ନୁହେଁ କି ? ଝିଅ ହୋଇଥିଲେ କଅଣ ବେଶି ଶରଧା ପାଆନ୍ତା ?

 

କୌଣସି କଥାକୁ ପେଚି ଅବିଗୁଣ ପାଏ ନାହିଁ । ଗାଆଁଟାଯାକର ସବୁ ଲୋକ ତାଆର, ଆଉ ସେ ସଭିଙ୍କର । ସମସ୍ତଙ୍କୁ ସେ ଚିହ୍ନେ । ତାକୁ ମଧ୍ୟ ଚିହ୍ନନ୍ତି ସମସ୍ତେ । ବଡ଼ ବଡ଼ ଲହଡ଼ି ତାହାର ଛାତିରେ ବାଜି ମୁଣ୍ଡ ନୋଇଁ ଫେରିଲେ ମଧ୍ୟ ଛୋଟ ଛୋଟ ଲହଡ଼ି, ତାଆରି ଆଗରେ ଯାହାର ଜନମ, କେଡ଼େ ଚଞ୍ଚଳ ସେମାନେ ବି ଡରି ଡରି ପେଚି ପାଖକୁ ଆସନ୍ତି, ଲୋଭରେ ପାହାଡ଼ ଗ୍ରାସିବାକୁ । ଚାହିଁ ଜାଣନ୍ତି ନାହିଁ, କଥା କହି ଶିଖି ନାହାନ୍ତି । ହାତ ବଢ଼ାଇବାକୁ ସାହସ ହୁଏ ନାହିଁ, ମନ ବଢ଼ାନ୍ତି ।

 

ପେଚି ବୁଝେ । ନିଜେ ହାତ ବଢ଼ାଏ । କୋଳ କରେ । ପିଠି ଆଉଁଷେ । କହେ, ତୁ ମୋଓର ଗୋବିନ୍ଦା ଭାଇର ପୁଅଟି ? ଆରେ ତୁ ଗୋପାଳ ଦାଦିର ପୁତୁରା ନା ? କେଡ଼େଟିଏ ହେଲୁଣି ତ । ଏମିତି ଶୁଖିଲାଟା କାହିଁକି ଦିଶୁଛୁ ରେ? ଖରା ତରାରେ ବୁଲୁଛୁ କି ? ଆ, ଆତ ଖାଇବୁ କିରେ ? ପିଜୁଳି ଖାଇବୁ ?

ଦିଏ ।

 

ଛୋଟ ଲହଡ଼ି ବାଲିବନ୍ତର ଗୋଡ଼ରେ ମୁଣ୍ଡ ପଟେ ନାହିଁ, ଗୁଡ଼େଇ ହୁଏ । ନଇଁ ପଡ଼ି ପାଣିରେ ମିଶେ ଧୀରେ, ଅତି ଧୀରେ । କେହି ଜାଣନ୍ତି ନାହିଁ ।

 

ବେଳ ଗଡ଼ି ଚାଲେ ।

 

ଚଇଁଆଁ ହୁଏ ଆଠ ବରଷର । ଦାଆ ଧରେ ହାତରେ । ଗାଈଗୋରୁ ଜଗେ । ନିଜର ପେଟ ଗଣ୍ଡାକ ଭିଆଏ । ପେଚି ଖସି ହୁଏ । ଆଖି ଆଗରୁ ଅନ୍ତର ହେଲେ ମନ ହୁଏ ଦକ ଦକ । ପଛରେ ଧାଏଁ । ଚଇଁଆଁକୁ ଭଲ ବୁଦ୍ଧି ଦିଏ । ଭଲ କଥା ଶିଖାଏ । ରାତି ପାହେ ।ସକାଳ ହଏ ।

 

ମଣିଆଁର ପୁଅ ହଏ । ପେଚି ଶୁଣେ । ଖୁସି ହଏ । ଦୁଇବର୍ଷର ପୁଅ ମରେ । ପେଚି ଶୁଣେ, ତୁନି ତୁନି କାନ୍ଦେ । ମନ ହଏ ଯିବାକୁ । ଯାଇ ପାରେ ନାହିଁ । ପୁଣି ମଣିଆଁର ପୁଅ ହଏ । ସେ ବି ବାହୁଡ଼େ । ଏମିତି-ତିନିପୁଅ ତାଆର ଆସିଲେ, ପୁଣି, ବାହୁଡ଼ିଲେ । ଦୁଇପ୍ରାଣୀ କାନ୍ଦିଲେ ।

 

ଗୁଣିଆଁ ଆସିଲା । ଜ୍ୟୋତିଷ ଆସିଲା । ସେମାନେ କହିଲେ, ଗ୍ରାମବାସୀ କହିଲେ, ପେଚିର ନିଶ୍ୱାସ । ପେଚିତ ମଣିଷ ନୁହେଁ । ମଣିଷ କଥା ତାଠେଇଁ ନାହିଁ । ସେ ପତିନୀ ନହିଲେ, ଦେବୀ । ତାଆରି ନିଶ୍ୱାସ ଯେ ନାଗ ସାପର ନିଶ୍ୱାସ । ଯା, ଯା, ମଣିଆଁ, ତାକୁ ଘରକୁ ଆଣ । ନୋହିଲେ ତୋ ଘରେ ପିଲା ରହିବ ନାହିଁ ।

 

ମଣିଆଁ ଭାବିଲା ।

 

ଚମ୍ପା କହିଲା, ଆସୁ ସେ ନିଆଁନାଗୀ, ଛତରୀ, ଡାଆଣୀ । ତିନି ପୁଅ ମୋଓର ଖାଇଲା । ତାଆର ଆଖିରେ ଲୁହାକଣ୍ଟା ମାରିବି । ପାଟିରେ ତତଲା ଲଙ୍ଗଳ ନୁହା ଗେଞ୍ଜିବି । ପିଠି ଭାଙ୍ଗିବି ଛାଞ୍ଚୁଣି ମାଡ଼ରେ । ଆସୁ ଆଗ ସେ-

 

ମଣିଆଁ କିଛି ନ କହି ଉଠିଗଲା ।

 

ପେଚି ସବୁ କଥା ଶୁଣିଲା । କଇଁ କଇଁ ହୋଇ ଲୋକଙ୍କ ଆଗରେ କାନ୍ଦିଲା । କହିଲା, ହୋଇଥିବି ମୁଁ ଡାଆଣୀ । ଚମ୍ପା ଯାହା କହିଲା ତେମେ ସବୁ ସେଇଆ କର । ମୋ ଅଲୋଡ଼ା ଜୀବନ ନ ଥିବା ଭଲ । ଯାଉ । ମୋ ପାଇଁ କାହିଁକି କାହା ମନରେ ଅଶାନ୍ତି ହେବ ? ମୋ ପାଇଁ କାହିଁକି ପର ପିଲାର ଖରାପ ହେବ ?

 

ତ୍ରିଲୋଚନପୁରର ଗାଁ ଲୋକେ ଡାକି ବଜାଇ କୁହାଟ ଛାଡ଼ିଲେ, ପେଚି ଆମ ଗାଁ ଝିଅ । ମଣିଆଁ ତ ତାକୁ ଛାଡ଼ିଛି । ସେ ବା ତା ଗାଁଲୋକେ ଆମ ଗାଆଁର ଝିଅ ନାମରେ ଅପବାଦ ଦେଇ କହିଲେ । ଆମେ କାହିଁକି ସହିବା ? ଏ ଗାଆଁର ମାଟିରେ ଗୋଡ଼ ଦେଉ ତ ମଣିଆଁ । ଦଇବି ଯୋଗରୁ ସିନା ପେଚିର ଗୋଟାଏ ଗୋଡ଼ ଛୋଟା ହେଲା ବୋଲି ସେ ତାକୁ ଛାଡ଼ିଲା, ମଣିଆଁର ଦିଇ ଗୋଡ଼ ଛୋଟା କରିବୁଁ । ଦେଖିବୁଁ, କୁଜଙ୍ଗ ଗଡ଼ିଆ କଅଣ କରିବେ ?

 

କଥାର ପ୍ରତିଧ୍ୱନି ହେଲା କୁଜଙ୍ଗ ଗଡ଼ରେ ।

 

ଷଣ୍ଢରାଜା ଆଉ ନାହାନ୍ତି କି ତାଙ୍କର ପ୍ରତାପ ଆଉ ନାହିଁ । ନଈ କୂଳରେ ପୁରୁଣାଗଡ଼ର ଭଙ୍ଗା ଡିହ ପଡ଼ିଛି । ପୁରୁଣା ଦରଭଙ୍ଗା ଜଗନ୍ନାଥ ମନ୍ଦିର ମୁହଁ ବଙ୍କା କରି କରୁଣ ଆଖିରେ ଚାହିଁଛି ଅନନ୍ତନୁରର କଚେରୀ ଆଡ଼କୁ, ଯେଉଁଠି ବିଦେଶୀ ଜମିଦାରଙ୍କର ପ୍ରତିନିଧି ରାଜତ୍ୱ କରୁଛନ୍ତି, ଯେଉଁଠି ହାତ ଖୋଳା ନାଳ କଡ଼ରେ ପଲ ପଲ ବଗ, ମାଛରଙ୍କା କୁଜଙ୍ଗ ମୀନକୁ ଚାହିଁ ରହିଛନ୍ତି ଥଣ୍ଟ ମେଲାକରି ।

ତଥାପି, କୁଜଙ୍ଗ ଗଡ଼ରେ ବାଲି-ଜାଭା-ଯିବା କୈବର୍ତ୍ତର ପ୍ରେତପରି ଦରମଲା ଚଳନ୍ତି କଙ୍କାଳ ଅଛନ୍ତି । ଖଣ୍ଡାୟତର ଖଣ୍ଡା ନ ଥିଲେ ମଧ୍ୟ ରକ୍ତ ଅଛି । ମଠ ଆଗରେ ଏକଜୋଟ ହୋଇ ରହିଲେ ଗ୍ରାମବାସୀଏ, ସତେ, ତ୍ରିଲୋଚନପୁରିଆଙ୍କର ଏତେ ସାହସ ? ଦେଖାଯିବ, କିଏ କାହାର ଗୋଡ଼ ଭାଙ୍ଗିବ !

 

ଅତି ନୂଆଁଣିଆଁ ଦୂବଗଛ ପାଇଁ ତୋଫାନ ବହିବ କାହିଁକି ? ନିରିମାଖୀ ପେଚି ପାଇଁ ଦୁଇଟା ଗାଁରେ କନ୍ଦଳ ଲାଗିବ ? ପେଚି ଭାବିଲା, କୁଜଙ୍ଗ ଗଡ଼କୁ ଚାହିଁବ ନାହିଁ । ମନର ଦେବତା ମନରେ ରହନ୍ତୁ । ଚଇଁଆଁକୁ ସୁଖରେ ରଖି ତାଆରି ସୁଖ ଦେଖି ସେ ବଞ୍ଚିବ ।

 

ଛୁଆରଙ୍କୁଣୀ ପେଚି ଯୁଆଡ଼େ ଗଲେ ଗାଁ ମାଇପେ ତାଆରି କୋଳକୁ ଛୁଆ ଟେକି ଦିଅନ୍ତି । ସେ ତୁଟୁକା ଜାଣେ, ପିଲା ମନ୍ତର ଜାଣେ । ପେଚି କୋଳରେ କାନ୍ଦିଲା ପିଲା ତୁନି ହୁଏ । ପେଚି ଗେଲ କଲେ ଭୁରୁଙ୍ଗା ମୁହାଁ ପିଲାର ଶୁଖିଲା ଓଠରେ ହସ ବାହାରେ । ତାଆରି ହାତ ଝଡ଼ାରେ ରୋଗଣା ପିଲା ଭଲ ହୁଏ ।

 

ଗାଁ ଯାକର ପିଲା ପେଚିର ନିଜର । ବେଳ ପାଇଲେ ସମସ୍ତଙ୍କୁ ସେ ଦେଖି ଆସେ । କାହାକୁ ଦିଏ ତେଲ ହଳଦୀ, କାହାକୁ କରେ ଧୁଓ ବାଇଆ । ଅନାବଶ୍ୟକ ଉରଜ ଦୁଇଟା ଛିଣ୍ଡାଇ ଫୋପାଡ଼ି ଦେବାକୁ ମନ କରେ । ସେଥିରେ ତ ଅମୃତ ନାହିଁ । ପରପିଲା ମୁହଁ ଗୁଞ୍ଜେ । ହତାଶ ହୋଇ କାନ୍ଦେ ।

 

ସମୟ ଗଡ଼ି ଚାଲିଲା ।

 

ଅଯତ୍ନ ବୁଢ଼ା ମୁଣ୍ଡବାଳ ଖରା ପାଣି ଖାଇ କହରିଆ ହେଲା, ଠାଏ ଠାଏ ପାଚିଲା । ଗାଁ ଝିଅ ଗାଁଆଁରେ ହସିଖେଳି ଦରବୁଢ଼ୀ ହୋଇ ଆସିଲା । ଚଇଁଆଁର ବି ବୟସ ହୋଇ ଆସୁଛି । କେଡ଼େ ଭଲ ପିଲା ସେ । କେଡ଼େ କୁହାର ବୋଲର । ପେଚିକୁ କେଡ଼େ ଭଲ ପାଏ । କଥାରୁ ବାହାର ହଏ ନାହିଁ ।

 

ଢିଙ୍କିଆ ଗାଆଁର ସୁନାଟି ! ରାଣ୍ଡ ଝିଅ ହେଲେ ବି ଭଲଟିଏ ।

 

କଥା ଠିକ୍ ହେଲା ।

 

ଗାଁ ଲୋକଙ୍କୁ ମଗାଯଚା କରି ଘର ଭାଙ୍ଗି ଘର ତୋଳିଲା । ଦି ବଖରା । ପୁଅ ବୋହୂ ବଡ଼ ବଖରାରେ ରହିବେ । ସେ ରହିବ ଛୋଟ ବଖରାରେ । ଚଇଁଆଁ ବାହା ହେବ । ସାହୁଘର ନାମ ରହିବ । ପେଚିର ଗୋଡ଼ ତଳେ ଲାଗେ ନାହିଁ । ଗାଁ ମାଇପେ, ଯାହାକୁ ଯାହା ମାଗେ, ସ୍ୱଚ୍ଛ ମନରେ ହାତ ଟେକି ଦିଅନ୍ତି । ଆହା, ଗରିବ ପିଲାଟି । ବାପ ଗୋସାଁପେ କେଡ଼େ ଭଳି ଘର କରୁଥିଲେ । ଚଇଁଆଁଟା ଥାଇତି ହେଉ ।

 

ଦିନ କେଇଟା ବାହାଘର ଅଛି । ତ୍ରିଲୋଚନପୁର ଗାଁ ମୁଣ୍ଡ ବାଲିବନ୍ତ ସେ ପାଖେ ଯେଉଁଠୁ ଧାନ ଗହୀର ନଈକୂଳ ଯାଏ ଲମ୍ବି ଯାଇଛି, ଦିଗଛିଆ ଆମ୍ବଗଛ କଡ଼ରେ, ବାଲିଗଦା ଉପରେ, ପେଚି ବସି ଛେଳି ଜଗିଛି । ଛାଇ ନେଉଟ ବେଳେ-

 

ଅନାହୁତି କଥା ।

 

ଷୋଳ କି ସତର ବର୍ଷ ତଳେ । ତାଆର ଭଲକରି ମନେ ନାହିଁ, ସେତେବେଳେ ତାରୁଣ୍ୟ ଛଳ ଛଳ ହେଉଥିଲା ଦେହରେ, ମନରେ । ଦୁନିଆର ସବୁକଥା ଲାଗୁଥିଲା କୌତୁକ ପରି । ସବୁକଥାରେ ଲାଜ ମାଡ଼ୁଥିଲା । ଶ୍ୱଶୁର ଘରେ ଦୁଇଟି ମାସ ରହିଥିଲା ସିନା, ଯାହାର ହାତ ଧରିଥିଲା ତା ମୁହଁକୁ କେବେ ଭଲକରି ଚାହିଁ ନ ଥିଲା । ଶ୍ୱଶୁର ଶାଶୁଙ୍କର କଡ଼ା ଶାସନ । ପିଲା ଝିଅ ସେ ।

 

କେବେ କେମିତି ଏକୁଟିଆ ବେଳେ, ପିଲାଳିଆ ଖିଆଲରେ ମଣିଆଁ ତାଆର ହାତ ଧରି ଟାଣିଥିଲା । ପେଚି ଛାଟି ପିଟି ହୋଇ ପଳାଇଥିଲା । ଦିନେ ମୁହଁ ସଞ୍ଜବେଳେ, ଏକୁଟିଆ ଦେଖି ମଣିଆଁ ତାକୁ ଧିଅକୁ ଆଉଜାଇ ମୁହଁରେ ବୋକ ଦେଇଥିଲା । ପେଚି ଭୟରେ ବରଡ଼ା ପତ୍ର ପରି ଥରିଥିଲା । ବୋଉର ପାଟି ଶୁଣି ମଣିଆଁ ଭଲଲୋକ ପରି ଚିଲ ବେଗରେ ଛୁଟି ପଳାଇଥିଲା ।

 

ପେଚିର ବିବାହିତ ଜୀବନରେ ଏତିକି ଥିଲା ମଧୁର ସ୍ମୃତି, ଯେଉଁଥିପାଇଁ ମଣିଆଁକୁ ସେ ଭୁଲି ପାରେ ନାହିଁ । ଏହି ସ୍ମୃତିଟିକହିଁ ତାଆର ଜୀବନର ଗୋପନ ଧନ, ସର୍ବସ୍ୱ । ସେ ଯୁବତୀ ହେଲା, ପୁଣି ହୋଇ ଆସିଲା ପ୍ରୌଢ଼ା । ଯେବେ କେବେ ମନେ ପଡ଼େ, ଥରଟିଏ ଧିଅଆଉଜା ଓ ଥରଟିଏ ଗେଲର କେତେ ନୂଆ ରୂପ ଦେଖେ, ନୂଆ ଅର୍ଥ ବୁଝେ । ଆଖି ଆଗରେ ଉଭା ହୁଏ ଷୋଳ ସତର ବର୍ଷର ମଣିଆଁ । ସୁନ୍ଦର, ସବଳ, ଚଞ୍ଚଳ । ପେଚି ଆଜି ବୁଢ଼ୀ ହୋଇ ଆସିଚି, କିନ୍ତୁ ତାଆର ମନର ଦେବତା ଚିରଦିନ ସତର ବର୍ଷର ହସିଲା ଟୋକା, ଢଳ ଢଳ ତରଙ୍ଗ ପରି ।

 

ଅନାହୁତି-

 

ଚାରିଟା ଆଖି ମିଶିଗଲା । ମୁହୂର୍ତ୍ତେ । ପୁଣି ଦୃଷ୍ଟି ଫେରିଲା । ଦୁହେଁ ଦୁହିଁଙ୍କୁ ଚାହିଁଲେ । ଆଖିରେ ବିସ୍ମୟ ଭରି ଉଠିଲା ।

 

ଦୁହିଁଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଲା, କିଏ ?

 

ମଣିଆଁ ଚିହ୍ନିଲା ପେଚିକୁ । ଏଇ ପେଚିର ହାତ ଧରି ଦିନେ ସେ ଘରଣୀ କରି ଘରକୁ ନେଇଥିଲା । ଏହାରି ପାଇଁ ତାଆର ତରୁଣ ମନରେ ଉଠିଥିଲା ଜୁଆର । ନିରୋଳାରେ ଥରଟିଏ ତାକୁ ଛାତିରେ ଧରି ଗେଲ କରିବାକୁ କେତେ ଡହଳ ବିକଳ ହୋଇଥିଲା ସେ । କେଡ଼େ ଉତ୍ତେଜନା-। ଚୋର ପରି ଲୁଚି ଲୁଚି ଗଲାବେଳେ ଛାତି ଦାଉଁ ଦାଉଁ ପଡ଼େ । ମନ ତରଙ୍ଗ ତରଙ୍ଗ ହଏ । ମା ଆସିଲା କି ? ବାପ ଦେଖିଲା କି ? ପେଚି ଜାଣିଲା କି ? ସାଙ୍ଗ ପିଲାଏ କହନ୍ତି, ରଜା ଝିଅରେ ମଣିଆଁ, ତୋ କପାଳଟା ସଳଖ । ମଣିଆଁର ମନରେ ଗର୍ବ ଆସେ । ପେଚିକୁ ଦେଖିବାକୁ ଛପି ଛପିକା ପୁଣି ଧାଇଁ ଆସେ ।

 

ଏଇ ତ ସେ ପେଚି !

 

କେତେ ଯତ୍ନରେ ମା ତାଆର ମୁଣ୍ଡ ବାନ୍ଧି ଦିଏ, ଆଖିରେ ଦିଏ କଜଳ । ମୁଣ୍ଡରେ ମୁଣ୍ଡେ ସିନ୍ଦୂର । ନିଜ ହାତରେ ଘସି ମାଜି ଦିଏ । ଖୁଆଇ ଦିଏ । କୋଳରେ ପୂରେଇ ଶୁଏ ।

 

ଗାଁ ମାଇପେ ଟାପରା କରନ୍ତି, ଜନମ କରିଛୁ କିଲୋ !

ମା କହେ, ନଅଟା ନା ଛଅଟା ବା । ଏଇ ବକଟକ ତ ? ଯମ ଅଇଁଠା ମଣିଆଁ ଯେମିତି, ଯମ ଅଇଁଠା ପେଚି ମୋଓର ସେମିତି ।

 

କହନ୍ତି ମାଇପେ, ଆଲୋ, ମୂଲିଆ ମୁଣ୍ଡ, ଏତେ ଗେଲବସର କଅଣ ! ଟାଣ କର ଲୋ ମଣିଆଁ ମାଆ, ଟାଣ କର । ଘସି ପାରୁ, ପାଞ୍ଚଣ ନେଇ ଗୋରୁ ଗୋଠ ଜଗୁ । ଦାଆ ଦେଇ ବିଲକୁ ପଠାଲୋ । ଦୁଃଖ ଯିବ । ନହୁଣୀ ପିତୁଳା କଲେ ହାତ ପିଠିରେ ଲୁହ ପୋଛୁଥିବୁ ।

 

ମଣିଆଁ ମା କହେ, ମାଆ ନ ଥିଲା ପିଲା । ଶରଧା ଜାଣେ ନାହିଁ । ଠାକୁର ଆଇଷ ଦେଉଲୋ, କଲ୍ୟାଣ କର । ବେକରେ ପଇଲେ ବଳେ ବଜାଇ ଶିଖିବ ।

 

ଗୋଡ଼ ଭାଙ୍ଗି ଚାରିମାସ ବିଛଣାରେ ପଡ଼ିଲା । ବାପ ମା କେତେଥର ଧାଇଁଗଲେ । ସବୁଥର ହତାଶ ହୋଇ ଫେରନ୍ତି । ଚୁ ଚୁ କରନ୍ତି । କହନ୍ତି, କଅଣ ଆଉ ହେବ । ମୂଲିଆ ଘର ବୋହୂ ଅକାମୀ ହେଲେ ଛତର ଯୋଗ ସିନା । ବଳ ବଅସ କମି ଆଉଛି ! କେତେ ଦିନକୁ ଆଉ । ମଣିଆଁ ମୁଣ୍ଡରେ ପଥର ବୋଝ ନଦି ଦେଇ ଗଲେ ଭଲ ହେବନାହିଁ । ବେଳକାଳ ଯେମିତି ମହଙ୍ଗା, ଦାମ୍ ବଢ଼ୁଛି, ମୂଲତ ବଢ଼ୁନାହିଁ, ଗୋଟାଏ ଅକର୍ମ୍ମଣ୍ୟ ଲୋକକୁ ପୋଷିଲେ ଯିଏ, ହାତୀ ପୋଷିଲେ ସିଏ । ପୁଣି, ପେଚିତ ଅଚଳ, ତାକୁ ଚଳପ୍ରଚଳ ଆତଯାତ କରିବାକୁ ଜଣେ ଲୋକ ନିକମା ହେବ । ବୁଢ଼ା ବୁଢ଼ୀ ଦୁଇଟା ଆଖି ବୁଜିଲେ ମଣିଆଁ ମୂଳ ଲାଗି ଯିବ କି, ପେଚିର ସେବା କରିବ ? ଏମିତିଆ ସଂସାର କେତେ ଦିନ ବା ଚଳିବ ? ପେଟ ତାତିଲେ, ଦେହ ଫୁଙ୍ଗା ହେଲେ, ଆପେ ଆପେ ସ୍ନେହ ଶରଧା ଜଳି ପୋଡ଼ିଯିବ । ଓହୋ, କି ଦହଗଞ୍ଜ !

 

ପିଲା ପିଚିକା ତ ଅବସ୍ଥାକୁ ଚାହିଁ ବସିବ ନାହିଁ । ଷଠିଦୁଛେଇଁ ହଟ କରେ । ଯେଉଁଠି ଧନ, ଯେଉଁଠି ଭୋଗଭାଗ୍ୟ, ପିଲା ବକଟେ ପାଇଁ ଆତୁରିଆ ଡାକ, ସେଇଠି ଷଠିର ହାତ ଖୋଲେ ନାହିଁ-। ସେ ନାହିଁ ନାହିଁ କରେ । ହସେ । ଯେଉଁଠି ତୁଣ୍ଡରେ ଆଧାର ଦେବାକୁ ଖୁଦବି ନ ଥାଏ, ଯାହା ଘରେ ମଣିଷ ପିଲା ଅଖୋଜା ଅଲୋଡ଼ା, ତାଆରି କୋଳକୁ ଠେଲି ଦିଏ ପିଲା ପିଚିକା, ନେ, ଆହୁରି ନେ, ଆଉ ଗୋଟିଏ ନେଏମ, ନାହିଁ କରନା । ଗୋଟିଏ ଗୋଟିଏ ଦିଏ, ପୁଣି ଛପି ଛପି ଆସି ଗୋଟି ଗୋଟି କରି ଟାଣି ନିଏ । ହସି ହସିକା କହେ, ଦେଲିତ, ଖାଇବାକୁ ଦେଲୁ ନାହିଁ, ମୋ ପିଲା ତୋ କୋଳରେ କାନ୍ଦିବ ? ନିଏ । ଡହଳ ବିକଳ ଦେଖି ପୁଣି ଦିଏ ।

 

ସେ ହସେ, ମଣିଷ କାନ୍ଦେ ।

 

ପେଚିର ତ ପୁଣି ପିଲାଛୁଆ ହୁଅନ୍ତେ । କିଏ ପାଳନ୍ତା ? କେମିତି ତାଙ୍କୁ ବଞ୍ଚାନ୍ତା ମଣିଆଁ-? ଏଇ ଚିନ୍ତାରେ, ବାପ ମା ପେଚିକୁ ଛାଡ଼ିଲେ, ଚମ୍ପାକୁ ଆଣିଲେ ବୋହୂ କରି ।

 

ମଣିଆଁ ଭଲ ପିଲା । ବାପ ମାଆଙ୍କ କଥାରୁ ବାହାର ହେଲା ନାହିଁ । ଚମ୍ପା ବଢ଼ିଲା ଝିଅ । ବୋହୂ ହୋଇ ଏକାଥରେ ଘରକୁ ଆସିଲା । ମଣିଆଁ ମଣିଥିଲା, ବାହାଘର ନୁହେଁ ତ ଖେଳଘର । ତଥାପି, ଚମ୍ପାର କଳା ମିଚି ମିଚି ବଳିଲା ବଳିଲା ଦେହକୁ ଦେଖି ତାଆର ମନ ଆଉ ଜଣଙ୍କୁ ଖୋଜିଥିଲା । ମୁଣ୍ଡ ଭିତରେ, ବାର ବରଷର ଫୁଟି ଆସୁଥିଲା କଇଁଫୁଲ ପରି ତୋରା ଆଉ ସୁନ୍ଦର ପେଚିର ଢଳ ଢଳ ରୂପ ଆସି ଠିଆ ହେଲା । ମୁହଁ ଲୁଚାଇ ସେ ଆଖିରୁ ପୋଛୁଥିଲା ଲୁହ । ବାପ ମାଆଙ୍କ କଥାରୁ ବାହାର ହୋଇ ନ ଥିଲା ।

 

ସାତ ମଙ୍ଗଳା ବାସୀ ଚମ୍ପା କାମରେ ହାତ ଦେଲା । ମାସ ନ ପୁରୁଣୁ ଦାଆ ଧରି ବିଲକୁ ଗଲା । କେଡ଼େ ବିଚକ୍ଷଣ । ଆଖି ପିଞ୍ଛଡ଼ାରେ ସବୁ ପାଇଟି ସାରେ । ବୁଢ଼ା ବୁଢ଼ୀଙ୍କର ସେବା କରେ, ଯତ୍ନ ନିଏ । ରାତି ଅଧ ଯାଏ ଲୋଟଣୀ ପାରା ପରି କାମରେ ଲାଗେ । କେହି ନ ଉଠୁଣୁ ବିଛଣାରୁ ଉଠି ବାସି ପାଇଟି ଶେଷକରେ । ଘର ଦିଶେ ଉଜ୍ଜ୍ୱଳ ।

 

ସେଇ ଯେ ମୂଲିଆ ଘରର ଠିକଣା ବୋହୂ । ବାପ ମା ପ୍ରଶଂସା କଲେ । ଗାଁ ମାଇପେ ଧନ୍ୟ ଧନ୍ୟ କହିଲେ । ମଣିଆଁର ମନ ଝଗଡ଼ି ଉଠିଲେ ବି-ଗାଁ ଲୋକଙ୍କର ଧନ୍ୟ ଧନ୍ୟ କୁହାଟ ଭିତରେ ତାଆର ଯୌବନର ନୀରବ ଅଭଯୋଗ, ପେଚି ପ୍ରତି ଆତ୍ମାର ଅଜଣା ମୋହ ଲୁଚି ରହିଲା-

 

ସୁଖରେ ବାପ ମା ପୁଅବୋହୂଙ୍କୁ ଆଶୀର୍ବାଦ କରି ଆଖି ବୁଜିଲେ । ଚମ୍ପା ଥିଲାକୁ ମଣିଆଁର ହାତ ଗୋଡ଼ରେ କିଛି ଲାଗିଲା ନାହିଁ । ଚମ୍ପାତ ଘରଣୀ ନୁହେଁ, ସେ ସାକ୍ଷାତ୍‍ ଲକ୍ଷ୍ମୀ । ରୂପରେ ନ ହେଲେ, ଗୁଣରେ ।

 

ମଣିଆଁ ମୂଲ ଲାଗିବା ଛଡ଼ା ଆଉ କିଛି ଜାଣେ ନାହିଁ । ସଞ୍ଚିଲା ଧନରେ ଚମ୍ପା ଭଲ ଘର ତୋଳିଲା । ନାଳ ସେପାରି ଘେରି ବନ୍ଧ କଡ଼ରେ ଜମି ମାଣେ କିଣିଲା । ଛେଳି ମେଣ୍ଢା ଚାରିଟା କିଣି ପାଳିଲା ।

 

ଚମ୍ପାର ଡୋରରେ ମଣିଆଁ ଦିନ ଦିନ ହେଲା ବାନ୍ଧି । ତାଆର ରୂଟା ଆଉ ଆଖିକୁ ଦିଶିଲା ନାହିଁ । ଦିଶିଲା, ତାଆର ଗୁଣଟା । ପେଚିର ଭାବନା ମନରୁ ପୋଛି ହୋଇଗଲା । ପେଚିକୁ ସେ ଭୁଲିଲା । ଦୁଇ ମାସର ଖେଳ କୌତୁକ ରାତିର ସପନ ପରି ମୂଲିଆର ମୁଣ୍ଡ ଝାଳ ସଙ୍ଗେ ତତଲା ବାଲିରେ ପଡ଼ି ମିଳେଇ ଗଲା । ମଣିଆଁ ହେଲା ପକ୍କା ସଂସାରୀ ।

 

ଚମ୍ପାର କୋଳରେ ଜନମିଲା ପିଲା । ଚମ୍ପା ମଣିଆଁର ମନ ମିଶି ଏକକାର ହେଲା । ପିଲାର ତୁଣ୍ଡରୁ ଦରୋଟି କଥା ନ ବାହାରୁଣୁ ସେ ଟଳି ପଡ଼ିଲା । ଏମିତି, ଗୋଟିକ ପରେ ଗୋଟିଏ

ଚଉଦ ବର୍ଷର ଘରକରଣା ଭିତରେ ଚମ୍ପା ରକ୍ତ ମାଂସ ଦେଇ ତିନୋଟି ପିଲା ଗଢ଼ିଲା । ସମସ୍ତେ ବାହୁଡ଼ିଲେ । ଲୋକେ ପେଚିର ଖର ନିଶ୍ୱାସର ଦୋଷ ଦେଲେ । ଚମ୍ପାକୁ ପେଚିର ଭୂତ ଲାଗିଲା । ଥରେ ନୁହେଁ, ତିନିଥର । ମଲା ମଣିଷର ଭୂତ ସିନା ଲାଗେ, ଆଚମ୍ବିତ କଥା, ଜୀଅନ୍ତା ପେଚିର ଭୂତ ଲାଗିଲା ! ଲୋକେ କହିଲେ, ସେ ପିଶାଚୁଣୀଟା, ମଣିଷ ରୂପ ଧରି ଜନମିଛି । କେତେ ମିଛ ଗପ ପେଚି ନାଆଁରେ ପ୍ରଚାର ହେଲା- ।

 

ଚମ୍ପା ଡରିଲା, ଡରିଲା ମଣିଆଁ ।

 

କେତେ ଗୁଣିଆ ଆଇଲେ । କେତେ କଥା କହିଲେ । ଗାଁ ଲୋକେ ମତେଇଲେ, ତାକୁ ଘରକୁ ଆଣ, ଆର ଗୋଡ଼ଟା ଭାଙ୍ଗିଦେ ।

 

ମଣିଆଁ ଡରିଲା । ଡରିଲା ଚମ୍ପା ।

 

ଦୁଃଖ ଭାବନାରେ ଜଲ୍‌ଦି ଜଲ୍‌ଦି ବୁଢ଼ା ହୋଇ ଆସିଲା ମଣିଆଁ । ମୁଣ୍ଡରେ ବାଳ ପାଚିଲା ଅଧା ବଅସରେ । ଆଖି ପଶିଲା ତାଳୁ ଭିତରେ, ଗାଲ ପଶିଲା ପାଟି ଭିତରେ । ଦେହରେ ଗଣି ହେଲା ହାଡ଼ । ହାତରେ ଗୋଡ଼ରେ ବଳିହେଲା ଶିରା ଦଉଡ଼ି । କାମ କରିବାର ଶକ୍ତି କମି ଆସିଲା । ଯେଉଁ ଗ୍ରାମ ଲୋକେ ମଣିଆଁକୁ ମୂଲ ଲଗାଇବାକୁ ଆଗୁସାର ହୁଅନ୍ତି ସେମାନେ ପୁଣି କୁନ୍ତ୍‍ କୁନ୍ତ୍‍ ହେଲେ । ଟୋକା ବୟସରେ ମଣିଆଁ ଦିଶିଲା ଦରବୁଢ଼ା ପରି ।

 

ପେଚି ଦେଖିଲା, ଏଇ ତାଆର ହାତ ଧରିଲା ବର, ମନର ମଣିଷ । ମୁଣ୍ଡରେ ବୋଝ, ହାତରେ କୁର୍‌ହାଡ଼ି । ଏଇ ତାଆର ଦେବତା, ଯାହା ପାଇଁ ସାରା ଜୀବନ ସେ ଝୁରୁଛି । ଯାହାର ସୁଖ ଆନନ୍ଦ ପାଇଁ ଦୂରରେ ଥାଇ ଠାକୁର ପାଖରେ ମୁଣ୍ଡ ନୁଆଇଁ ଜଣାଣ କରିଛି । କି ରୂପ, କି ଢଙ୍ଗ, କାହିଁ ସେ ହସିଲା ମୁହଁ, ଚଞ୍ଚଳ ଚାହାଁଣି, ଛନ ଛନିଆଁ ବଳିଲା ଦେହ !

 

ପେଚିର ଆତ୍ମା ବାହୁନି ଉଠିଲା । ଆଖି ହେଲା ଛଳଛଳ । ସେ ଆଖି ବୁଜିଲା । ଭାବନାକୁ ଫେରାଇ ନେଲା ଚଉଦ ବରଷ ତଳକୁ । ଆଖିର ଲୁହ ଭିତର ପୁଣି ଧ୍ୟାନ କଲା ତାଆର ଦେବତା ମଣିଆଁକୁ । ଯୁବକ, ସୁନ୍ଦର, ବଳିଷ୍ଠ, ଚଞ୍ଚଳ, ସେଇ ତାଆରି ବର । ଏ ନୁହେଁ । ଏ ତାଆରି ପ୍ରେତ । ସେଇ ବରକୁ ସେ ଝୁରିବ, ଝୁରି ଝରି ଆଖି ବୁଜିବ ! ଏ ନୁହେଁ----- ।

 

ମଣିଆଁ ଚାହିଁ ରହିଲା, ଏଇ ସେ ପେଚି । ତାଆରି ହାତ ଧରି ଦିନେ ସେ ଘରକୁ ନେଇଥିଲା ? ବିନା ଦୋଷରେ ତାକୁ ସେ ପରିତ୍ୟାଗ କରିଥିଲା । ତାଆର ଆଖିର ଲୁହ, ତତଲା ନିଶ୍ୱାସରେ ତାଆରି ସୁଖର ସଂସାର ଜଳି ପୋଡ଼ି ଛାରଖାର ହୋଇଛି । ତାଆରି ଡହଳ ବିକଳ ଜୀବନ ଓ ମନ ଲତାପରି ଲମ୍ବିଆସି ତାଆର ଜୀବନକୁ କଲବଲ କରିଛି, ଆଖିର ଜଳିଲା ଦୃଷ୍ଟି ମଣିଆଁ-ଚମ୍ପାଙ୍କର ରକ୍ତ, ମାଂସ, ଜୀବନ ଶୁଖାଇଛି ।

 

ମଣିଆଁର ଇଚ୍ଛା ହେଲା, ତାର ହାତ ଧରିବ । ସବୁ କହିବ । ମାଗୁଣି କରିବ, ଦେ, ଦେ, ମୋଓର ପିଲାଗୁଡ଼ିଙ୍କୁ ଫେରାଇ ଦେ । ତୋଅର ଜୀବନ ମୁଁ ପୋଡ଼ି ଦେଇଛି । ମୋ ଜୀବନକୁ ତୁ ପୋଡ଼ି ଜାଳି ପାଉଁଶ କର । ଟିକି ଟିକି କରି କଲବଲ କରି ମାରୁଛୁ କାହିଁକି ? ଏକାଥରେ, ଏକାଥରେ ଶୋଷି ନେ ଛଟପଟ ଆକୁଳ ବିକଳ ଜୀବନଟାକୁ ।

 

ମଣିଆଁର ଦେହ ଥରି ଉଠିଥିଲା । ମୁଣ୍ଡରୁ ଖସି ପଡ଼ିଲା ବୋଝ । ଥରି ଥରି ହାତରୁ ଖସିଲା କୁର୍‍ହାଡ଼ି । ପଶିଲା ପଶିଲା ଆଖି କୋଣରୁ ଝରି ଆସିଲା ଲୁହଧାର ।

 

ପେଚି ଦେଖିଲା ସେ ଲୁହ ।

 

ପଶ୍ଚିମର ବାଲିବନ୍ତ ମାଳ ପଛପଟେ ସୂର୍ଯ୍ୟ ଲୁଚି ଆସୁଥିଲେ ।

 

ପେଚିର ଦୋହଲା ମନ ନରମି ଆସୁଥିଲା, ମନ ଭିତରୁ କିଏ କହି ଉଠିଲା, ତାଆର କୋରଡ଼ ଆଖିରେ ତୋ ପାଇଁ ଲୁହ ଅଛି ଲୋ ପେଚି, ସେ ତତେ ଭୁଲି ନାହିଁ କି ଭୁଲି ପାରିବ ନାହିଁ-। ତୋଓରି ଭାବନା ତାକୁ ଏ ରୂପ କରିଛି । ବାପ ମା ତାକୁ ବାନ୍ଧି ଦେଲେ, ସେ ଫିଟି ଆସି ପାରିଲା ନାହିଁ । ଛଟପଟ ହୋଇଛି । କାନ୍ଦି କୁନ୍ଥେଇ ମନ ମାରି ରହିଛି । ଏମିତି କାନ୍ଦିଛି ସେ-ଏମିତି, ଜୀବନ ସାରା-

 

ପେଚି ମୁଣ୍ଡ ଟେକି ଭଲକରି ମଣିଆଁ ମୁହଁକୁ ଚାହିଁଲା । ମନେ ହେଲା ଯେପରି ସେହି ଦୁର୍ବଳ ମଣିଷର ଲୁହଝରା ଚାହାଣିରେ କେତେ କାଳର ଜମାଟବନ୍ଧା ବେଦନା, ଅନୁତାପ ଓ ମିନତି ଭରି ରହିଛି । ଯେପରି ସେଇ ଆଖି ଦିଇଟା ତାଆର ଆତ୍ମାକୁ ଓଟାରୁଛି । ଥରିଲା ଓଠ ତାଆର ସଂଯତ ମାତୃତ୍ୱ କାମନାକୁ ଚହଲାଇ ଦେବ ।

 

ଚଇଁଆଁର ବାହାଘର ହେବ । ଚଇଁଆଁ, ଯାହାକୁ କୋଳରେ ବଢ଼ାଇ ସେ ନାରୀତ୍ୱର, ମାତୃତ୍ୱର ସବୁ ଆନନ୍ଦ ପାଇଛି । ଯେଉଁ ସ୍ୱାମୀ ତାକୁ ଅପାରଗ ବୋଲି ଗୋଡ଼ରେ ଆଡ଼େଇ ଦେଇଥିଲା, ଯିଏ ବାପ ମା ଓ ଦୁନିଆଁର ଲୋକଙ୍କର କଥାକୁ ସାହା ଭରସା ନ ଥିଲା, ବାହାହେଲା ସ୍ତ୍ରୀର ଜୀବନ ଠାରୁ ବେଶି ମୂଲ୍ୟବାନ ମଣିଥିଲା, ଏଇ ସେ ! ତା ଆଡ଼କୁ ଥରଟିଏ ଚାହିଁବାର ଅଧିକାର ମଧ୍ୟ ମଣିଆଁର ନାହିଁ ।

 

ମଣିଆଁର ଥରିଲା ଓଠରୁ ପଦଟିଏ କଥା ବାହାରିଲା, ପେଚି- !

 

ସେହି ପଦଟିଏ କଥା ଯେପରି କାହିଁ କେତେଦୂରରୁ ହୁଏତ ଜଡ଼ ଦୁନିଆଁର ଆର ପାରିରୁ ଆସି ପେଚିର କାନରେ ବାଜିଲା । ଯେପରି ସେ ସ୍ୱରଟା ଅତି ପରିଚିତ କିନ୍ତୁ, ଯେଉଁ ମଣିଷର ତୁଣ୍ଡ ଥରାଇ ସେହି ପଦଟିଏ କଥା ବାହାରି ଆସିଲା ସେହି ମଣିଷଟା ତାଆର ଅଚିହ୍ନା, ଅଜଣା । କି ଅଧିକାର ଅଛି ଏ ଲୋକଟାର ତା ନାଆଁ ତୁଣ୍ଡରେ ଧରିବ ?

 

ଜଳି ଉଠିଲା ପେଚିର ବାଦଲଘେରା ଚାହାଣି-ସତେକି ନିଆଁ-ବାଣ । ରାଗ, ଅଭିମାନ, ବିଦ୍ରୋହ, ଘୃଣା, ପ୍ରତିଶୋଧ, ଅବଜ୍ଞା ସମସ୍ତେ ଯେପରି ଏକାଠି ହୋଇ ପେଚିର ଦୁଇ ଆଖିରେ ଜାଳିଲେ ପ୍ରଳୟର ନିଆଁ । ଛାତି ଭିତରେ, ଚଉଦ ବର୍ଷର ଜଳିଲା ମରୁଭୂଇଁ ଉପରେ ବହିଲା ପ୍ରଳୟ ଝାଇଁ ପବନ ।

 

ମଣିଆଁ ଶଙ୍କିଗଲା । ପେଚିର ଆଖି ଦୁଇଟାକୁ ଚାହିଁବାକୁ ସାହସ ହେଲା ନାହିଁ ।

 

ପେଚି ଉଠିଲା । ମନ କହିଲା, ନା, ନା, ନିଜର ଅନ୍ତରର ଜଳିଲା ନିଆଁରେ ନିଜେ ସେ ଜଳି ପୋଡ଼ି ହୋଇ ମରୁ । ଅତୁପ୍ତ ଜୀବନର ସବୁ ଅଭିଶାପ ନିଜ ଉପରେ ପଡ଼ୁ, ସେ ଆଉ ଏଇ ନିଃସହାୟ ମଣିଷଟିର ମୁହଁକୁ ଚାହିଁବ ନାଇଁ । ତାଆର ବ୍ୟଥାଭରା ଡାକ କାନରେ ଶୁଣିବ ନାଇଁ । ଜୀବନରେ କେବେ ହେଲେ ସେ ମଣଆଁର ଅଶୁଭ ମନାସି ନାହିଁ । ବରଂ, ସବୁବେଳେ ଦେବତା ଆଗରେ ଜଣାଣ କରିଛି, ମଣିଆଁର ଭଲ କର, ସେ ସୁଖରେ ରହୁ । ପାଖରେ ଦେଖିଲେ, ତୁଣ୍ଡରୁ କଥା ଶୁଣିଲେ କାଳେ ତାଆର ଜଳିଲା ପୋଡ଼ିଲା ମନ ଭିତରୁ ବାହାରି ଆସିବ ଅକଲ୍ୟାଣ ।

 

ସେ ଯିବ, ମୂହୂର୍ତ୍ତେ ଆଉ ପାଖରେ ରହିବ ନାହିଁ ।

 

ପୁଣି ମଣିଆଁର ତୁଣ୍ଡ ଖୋଲିଲା, ପେଚି, କହିବି କଥାଟିଏ ?

 

ପେଚି ଶୁଣିବାକୁ ରହିଲା ନାହିଁ । ବାଡ଼ିଖଣ୍ଡି ଧରି ସେ ଯେତେ ଧଅସି ପାରେ ଛୋଟେଇ ଛୋଟେଇ ଧାଇଁବାକୁ ଲାଗିଲା ।

 

ଗାଈ, ବଳଦ, ଛେଳିଗୁଡ଼ିକ ମୁଣ୍ଡ ଟେକି ବଲ ବଲ କରି ପେଚିର ଗଲାବାଟକୁ ଚାହିଁ ରହିଲେ । କେହି କେହି ବୋବାଳି ଛାଡ଼ିଲେ । ମଣିଆଁ ମଧ୍ୟ ନିରୀହ, ନିରୂପାୟ ଛେଳି ଛୁଆଟି ପରି ବଲ ବଲ କରି ଅନାଇଁ ରହିଲା । ତାଆର ପାଟିରୁ କଥା ବାହାରିଲା ନାହିଁ । ଗୋଡ଼ ଚଳିଲା ନାହିଁ । ଆଖି ଆଗରେ ଦୁନିଆଁ ଖାଲି ଭ୍ରମିବାକୁ ଲାଗିଲା । ସେ ଅନୁଭବ କଲା, ଚଉଦବର୍ଷ ପରେ ପେଚି ଆଜି ତାଆରି ଉପରେ ନିଷ୍ଠୁର ଭାବରେ ପ୍ରତିଶୋଧ ନେଇଚି ! ସେ ବୁଝିଲା, ଯେଉଁ ପେଚି ଦିନେ ଉଚ୍ଛ୍ୱଳ ଦରଫୁଟିଲା କଇଁଫୁଲ ପରି କଅଁଳ ଥିଲା ସେ ଆଜି ପଥର ପରି କଠିଣ ହୋଇଛି, ଯିଏ ସଦ୍ୟଗୁନ୍ଥା ଫୁଲହାର ପରି ମନ ମୋହୁଥିଲା, ସେ କାଳ ସାପ ପରି ଭୟଙ୍କର ହୋଇଛି । ଯିଏ ଦେବକନ୍ୟା ପରି ପବିତ୍ର ନିରୀହ ଥିଲା, ସିଏ ଆଜି ପିଚାଶୁଣୀ ପରି ନିର୍ମ୍ମମ ନିଠୁର ହୋଇଛି !

 

ପେଚିକୁ ପଥର, ଭୟଙ୍କର, ନିର୍ମ୍ମମ, ନିଠୁର କରିଛି, ସେ-ମଣିଆଁ ! ପେଚିର ଅଭିଶାପ, ଖର ନିଶ୍ୱାସରେ ମଣିଆଁର ସୁଖ ସଂସାର କଲବଲ ହୋଇଛି । ତାଆର ସଂସାର ଜଳିପୋଡ଼ି ଯିବ, ଛାରଖାର ହେବ ।

 

ମଣିଆଁର ଦେହସାରା ଥରି ଉଠିଲା । ଚମ୍ପାର କରୁଣ ଦୁର୍ବଳ ରୂପ ଆସି ଆଖି ଆଗରେ ଠିଆ ହେଲା । ପେଟରେ ତାଆର ଆଠ ମାସର ପିଲା ।

 

ମଣିଆଁ ବିଚଳିତ ହୋଇ ଚାହିଁଲା ।

 

ଦୂର କିଆବଣର ଆରପାଖେ ପେଚି ଲୁଚି ଯାଇଛି !

 

ପେଚି ଚଇଁଆଁର ହାତକ ଦିହାତ କଲା ।

 

ନୂଆ ସଂସାରର ଆନନ୍ଦ ଭିତରେ ସେ ବୁଡ଼ି ରହିଲା । ଉଷା ମେଘର ଚଳନ୍ତି ଛାଇ ପରି ମଣିଆଁର ସେଦିନର ସ୍ମୃତି ଧୀରେ ଧୀରେ ମନ ଗଗନର ଅନ୍ଧାରି କୋଣରେ ଛପିଗଲା । ଅକାଳ ଘଡ଼ଘଡ଼ିର ମେଦନୀ ଥରା ଗର୍ଜନ ପରି କେବେ କେମିତି ପେଚିର କାନରେ ବାଜିଯାଏ ଦୁର୍ବଳ ସେହି ମଣିଷଟିର ‘ପେଚି ଡ଼ାକ’ । କି କଥା କହିବାକୁ ସେ ଚାହୁଁଥିଲା, ପେଚି ଭାବି ବସେ । ଚମକି ଉଠେ । ପୁଣି, ହାତଗଢ଼ା ନୂଆ ସଂସାରର ଜଞ୍ଜାଳ ମଝିରେ ସେ ବୁଡ଼ି ରହେ।

 

ପାଣି ସୁଅପରି ବେଳ ବୋହିଗଲା । ଚଇଁଆଁ ଚିହ୍ନିଲା ସୁନାକୁ, ପୁଣି ସୁନା ଚିହ୍ନିଲା ଚଇଁଆଁକୁ । ଦୁନିଆଁର ନୂଆ ବାଟରେ ଚାଲୁ ଚାଲୁ ଜୀବନର ମୋହ ଦୁହିଁଙ୍କୁ କଲା ଏକା । ଯେଉଁ ଚଇଁଆଁ ହାତ ମୁଠା କରି ସୁନାକୁ ମାଡ଼ ମାରିବାକୁ ଧାଇଁ ଆସୁଥିଲା, ସେହି ପୁଣି ସୁନାକୁ ଘଡ଼ିଏ ନ ଦେଖିଲେ ବଣା ହେଲା । କପୋତ କପୋତୀ ପରି ଏକା ଡାଳରେ ବସି ବେଳ କାଟିବାକୁ ସବୁବେଳେ ଡାକିଲା ମନ ।

 

ପେଚିକୁ ଖୁସି ଲାଗିଲା ! ବେଶି ଦିନ ତାଆର ଆନନ୍ଦ ରହିଲା ନାହିଁ । ସୁନା ହେଲା ଘରର ଘରଣୀ । ପେଚି ରହିଲା ତାର ହାତ ଟେକାରେ । ମୂଲିଆର ଦୁଃଖର ସଂସାର ଅଭାବ ଅସୁବିଧାର ପେଷଣରେ ପଡ଼ିଲା । ତିନିଓଳି ଉପାସ ରହି ଯେଉଁ ପେଚି ଚଇଁଆଁର ମୁହଁରେ ଭାତ ଦେଇ ଶାନ୍ତି ପାଉଥିଲା, ବେଳଟିଏ ଅଭାବ ହେଲେ ସେ ସୁନାକୁ ପଦେ କହିଲା । ସୁନା ସହିଲା ନାହିଁ । ଚଇଁଆଁର କାନରେ ପଡ଼ିଲା କଥା । ଭିତରେ ଭିତରେ କୁହୁଳି ଚଇଁଆଁ ତୁନି ରହିଲା ।

 

ଦୁଃଖର ସଂସାରରେ, ଅଭାବ ଅସୁବିଧାର ଟଣା ଓଟରାରେ ତିନିହେଁ ଛଟପଟ ହେଲେ । ଅଜାଣତରେ ଈର୍ଷା ଟେକିଲା ମୁଣ୍ଡ । ଚଇଁଆଁ ପେଚିକି ପ୍ରଶ୍ନ ପଚାରିଲା । କ୍ରମେ କ୍ରମେ ସେ ବି ହେଲା ଦେହସହା । ଅରୁଚା ପରୁଚା, ଗାଳି ମନ୍ଦ, ଶେଷକୁ ଚଇଁଆଁ ହାତର ମାଡ଼ ମଧ୍ୟ ପେଚିର ଦେହସହା ହେଲା ।

 

ଯେଉଁ ଅପା ତାକୁ କୋଳରେ କାଖରେ ବଢ଼ାଇ, ତୁଣ୍ଡରେ ଆହାର ଦେଇ ବଢ଼ାଇଲା, ଯେଉଁ ଅପା ଜୀବନର ସବୁ ସୁଖରେ ଜଳାଞ୍ଜଳି ଦେଇ ଚଇଁଆଁକୁ ଜୀବନ ଦେଲା, ଶେଷକୁ ସେଇ ଅପା ହେଲା ଚଇଁଆଁର ଅନାବଶ୍ୟକ । ଯେଉଁ ସୁନାକୁ ବାଟରୁ ଗୋଟାଇ ଆଣି ଅପା ତାହାରି ହାତରେ ସମର୍ପି ଦେଇଥିଲା, ସେଇ ପରଘର ଝିଅ ସୁନା ହେଲା ତାର ସର୍ବସ୍ୱ । ତାଆରି କଥାରେ ଅପାର ପିଠିରେ ମାଡ଼ ଦେବାକୁ ଚଇଁଆଁ ପଛେଇଲା ନାହିଁ ।

 

ସୁନାର କୋଳକୁ ଆସିଲା ଭରଥ ।

 

ପେଚି ତାକୁ କୋଳକୁ ନେଲା । ସବୁ ଦୁଃଖ ଭୁଲିଲା । କାଲି ଚଇଁଆଁ ଏମିତି ହୋଇଥିଲା । ପେଚି ସବୁ ଗାଳି ମାଡ଼ ସହିଲା । ଭରଥିଆର ଟିକି ଓଠରେ ହସ ଦେଖିଲେ ସେ ସବୁ ପାସୋରେ ।

 

କିନ୍ତୁ, ଆଉ ତ ସହି ହେଉ ନାହିଁ । ପେଟକୁ ଦୁଃଖ ସହି ହେବ ସିନା, ପିଠିର ମାଡ଼ ତ ଅସହ୍ୟ ! କାହା ଆଗରେ ଗୁହାରି କରିବ ? ଆଉ କିଏ ତାଆର ଅଛି ?

 

ଲୁଚେଇ ଲୁଚେଇ ସେ କାନ୍ଦେ । ବାପ ମାଙ୍କୁ ମନେ ପକାଏ । ଆଖି ଆଗରେ ଗେରସ୍ତ ମଣିଆଁର ଧଡ଼ିଆ ଧେଡ଼ଙ୍ଗ ରୂପ ଆସି ଉଭା ହୁଏ-ଆଖିରେ ଢଳ ଢଳ ଲୁହ, ତୁଣ୍ଡରେ ଆକୁଳ ବିକଳ ଡାକ, ପେଚି, କଥାଟିଏ କହିବି ?

 

କି କଥା ?

 

ପେଚିର ଆଖିରେ ଲୁହ ଶୁଖେ ଭାବି ଭାବି । ଶୁଖିଲା ଆଖିକୁ ପଣତରେ ପୋଛି ଉଠେ । କଅଁଳା ପିଲାଟା କାହିଁକି ରାହା ଧରି କାନ୍ଦୁଛି । ମନ ଛନ ଛନ ହୁଏ ।

 

ଗାଁ ମାଇପେ ପଚାରନ୍ତି, ହଇଲୋ ପେଚି, ସତକଥା, ଚଇଁଆଁ କୁଆଡ଼େ ତତେ ମାରୁଛି ?

 

ନାଇଁ ତ ! ଏତେ ବଡ଼ କଥା କିଏ କହିଲା ମ ?

 

ଏଁ, ଲୁଚଉଛୁ ?

 

ନାଇଁମ ଖୁଡ଼ୀ, ଚଇଁଆଁର ପୁଣି ଏଡ଼େ ସାହସ ? ଖୁଡ଼ୀମ, ଚଇଁଆଁ କେଡ଼େ ସୁଧାର, ତେମେ କଅଣ ଜାଣ ନାହିଁ ? ଉଠ୍ କହିଲେ ଉଠିବ, ବସ୍ କହିଲେ ବସିବ । ଆଉ ସୁନା ? ସେଇଟା ତ ପିଲା । ଭାତ ଖାଇ ଆଞ୍ଚୋଇ ଜାଣେ ନାହିଁ । ପିଲାଟାଏ ସିନା ଜନମ କରିଛି, ପିଲା କଅଣ ସେ ଜାଣେ ? ପିଲା ମନ, ପିଲା ବୁଦ୍ଧି ତାଆର ଭାଙ୍ଗିଲାଣି ନା?

 

କେତେଦିନ ଲୋକଙ୍କୁ ଭୁଲେଇ ପାରିବ, ଲୁଚେଇ ପାରିବ ? ଗାଁ ଲୋକେ ଚଇଁଆଁ ସୁନାଙ୍କର ବ୍ୟବହାର ଜାଣିଲେ ଛି ଛାକର କରିବେ, ଚଇଁଆଁକୁ ଘୃଣା କରିବେ । ପିଲା ଆଗରେ ସୁନା ଯେ ଆଜି ଫୁଲରାଣୀ ସାଜି ବସିଛି ସେଥିପାଇଁ ତ ଗାଁମାଇପେ କେତେ କଥା କହିଲେଣି, ତୋଓରି ମୁହଁ ବଢ଼ା ଲୋ ପେଚି, ତୋଓରି ମୁହଁ ବଢ଼ା । କିଲୋ, ମୂଲିଆ ଘର ବୋହୂଟି, ପିଲାକୁ କାଖରେ ଧରି ପର ଘରେ ପାଞ୍ଚ ପାଇଟି ନ କଲେ ସଂସାର ଚଳିବ କେମିତି ? ଗୋଡ଼ ଲମ୍ବେଇ ବସିରହିବାଟା ତ ଭଲ ନୁହେଁ ।

 

ନାଇଁ ଗୋ ଭାଉଜ, ସୁନା ସେମିତିକା ପିଲା ନୁହେଁ ! ଦେଖୁନା, ପୋଖତୀ ଘରଠୁଁ କେମିତି ଶୁଖି ଯାଉଛି । ଛୁଆଟା କଟାଳ କରୁଛି । କଅଣ ସେ କରିବ ? ଦାଣ୍ଡକୁ ଆସି ଚାରି ପାଇଟି କରିବାକୁ ସେ ହାଇଁପାଇଁ ହୁଏ ନାହିଁ କି ? ମୁଁ ତାଆକୁ ଆଖି ଦେଖାଇ ରାଣ ନିୟମ ଦେଇ ଘରେ ରହିବାକୁ କହେ ।

 

ଗାଁ ମାଇପେ ହସନ୍ତି । କହନ୍ତି, ହଁ, ହଁ, କଥା ଚଳେଇଲେ ସବୁ ସୁନ୍ଦର ଲୋ ପେଚି, କଥା ଛଳେଇଲେ ସିନା ପବନରେ ଗଣ୍ଠି ପଡ଼େ । କାହିଁକି, ସୁନାତ ଗଣ୍ଡି ବୋହିଲାଣି, ଝଡ଼ିଲା କେଉଁଠି ?

 

ପେଚି ତୁନି ରହେ ।

 

ଭଲରେ ସେଇ କଥା ବୁଝେଇ କହିଲା ବୋଲି ସୁନା ଅବିଗୁଣ ପାଇଲା । ମୁହଁ ମୋଡ଼ିଲା-। ରାତି ଅଧରେ ଚଇଁଆଁ ପାଖରେ ସକେଇ ହେଲା । ପାଖରେ ଶୁଏ, କାନରେ କହେ, ତା କଥାକି ଅନ୍ୟଥା ହୁଏ ?

 

ସକାଳୁ ସୁନାର ମୁହଁ ଫଣ ଫଣ ! ଚଇଁଆଁର ଚିଡ଼ୋଳ ଢଙ୍ଗ । ଟାଉଁ ଟାଉଁ କଥା, ପିଲା ଛୁଆ ବାଆଲୀ, ଯିଏ ପିଲା ମୁହଁ ଦେଖି ନାହିଁ ସେ କେମିତି ଭଲ ମନ୍ଦ ବୁଝିବ ? କାହାର ଗଣ୍ଠି ମାଲ ସରୁଛି କି ?

 

ଛାତିରେ ଛୁରି ଚାଲିଯାଏ । ପିଲାଛୁଆ ବାଆଲୀ । ପେଚି କୋଳରେ ଗାଁ ଯାକର ପିଲା ଦୋଳି ଝୁଲନ୍ତି, ହେଲେ, କୌଣସି ପିଲା ତ ତାଆର ନୁହେଁ । ତା ପେଟରୁ ତ କେହି ବାହାରି ନାହିଁ । ହଉ, ଭରଥିଆ କଅଣ ତାଆର ନୁହେଁ କି ? ଏକା ରକତ !

 

ଦେ ଲୋ ସୁନା ପୁଅକୁ, ତେଲ ହଲଦୀ ଲଗେଇ ଦିଏଁ-

 

ମଲାମର, ଠଣାରେ ଚାରିଟା ପଇସା ରଖିଦେଇ ବାରିଆଡ଼କୁ ଗଲି, କିଏ ତାକୁ ନେଇଗଲାଣି । ଆଖିରୁ କଜଳ ନେବେ ଲୋ ମା, ଏ ଘରେ ।

 

ପେଚିର ପାଟି ଖଲ ଖଲ ହଏ କଅଣ ପଦେ କହି ଦେବାକୁ । ତୁନି ରହେ । ସୁନା କୋଳରୁ ଭରଥିଆକୁ ଟାଣି ଆଣି ଗୋଡ଼ରେ ପକେଇ ହଳଦୀ ଦିଏ । ପିଲା କାନ୍ଦେ । ତମ୍ ତମ୍ ହେଇ ଧାଇଁ ଆସେ ସୁନା । କହେ, ଭଲ ପିଲାଟା କାନ୍ଦିବ କାହିଁକି ? କିଏ ଚିମୁଟିଲା କି ?

 

ସୁନା ଭରଥିଆକୁ ଉଠେଇ ନିଏ । ହଳଦୀ ବଲ ବଲ । ଛାତିରେ ଜାକେ । କ୍ଷୀର ଖାଇ ପିଲା ହଏ ତୁନି ।

 

କାକୁସ୍ଥ ହୋଇ ପେଚି ଚାହିଁ ରହେ । ଛାତି ତାଆର ପଥର । ମନେ ପଡ଼େ, ଚମ୍ପା କୋଳର ଦେଢ଼ ବରଷର ଅପର୍ତ୍ତିଆଣୀ ପିଲା । କୋଳରେ ଧରି ତେଲ ହଲଦୀ ଦେବ । ଗେଲ କରି ଛାତିରେ ଜାକିବ । ନିଜ ରକତ ନୁହେଁ ସିନା, ସଉତୁଣୀର ପିଲା ହେଲେ ତାଆରି ହାତ ଧରିଲା ଗେରସ୍ତର ରକତ ତ ।

 

ଇଚ୍ଛା ହୁଏ ସବୁ ମାନ ଅଭିମାନ, ରାଗରୋଷ ଭୁଲି ଧାଇଁଯିବ ।

 

ଯାଏ, ମଣିଆଁ ଘରକୁ ନୁହେଁ, ଗାଁ ସେମୁଣ୍ଡ ପରିଆ ଭାଇ ଘରକୁ । କହେ, ଦେଏ ମ ଭାଉଜ, କାନ୍ଦିଲା ପିଲାକୁ ମୋ କୋଳକୁ ଦେ ।

 

ଆସିଛୁ କିଲୋ ଛୁଆରଙ୍କୁଣୀ ?

 

ଗାଁ ଭାଉଜ ପେଚି କୋଳକୁ ଟେକି ଦିଏ ପିଲା । ପେଚି ହାତ ବାଜି ପିଲା ହୁଏ ସୁନ୍ଦର । କାନ୍ଦେ, ହସେ, ଛୁଟ୍ କରି ଶୋଇ ପଡ଼େ ।

 

ତୁ କଅଣ ମନ୍ତର ଜାଣୁ କି ?

 

ହଁ, ହଁ, ଜାଣେ । ପିଲାଟାର କଣ୍ଟା ଦୋହଲିଲାଣି ଭାଉଜ । କଅଣ ହେଉଛି କି ?

 

କିଛି ତା ପେଟରେ ରହୁନାହିଁ । ଦୁଧ କଳେ ପେଟକୁ ଗଲେ ବାନ୍ତି । ଛେନା ଛିଣ୍ଡିଲା ପରି ।

 

ଏଇ କଥା ? ଅମ୍ବୁ ଦାଦିର ପୁଅକୁ ହୋଇଥିଲା ମ, ରୁକୁଣା ହାତ ପୋଛା ପତର ରସ ଦି ବୁନ୍ଦା ମହୁ ଦେଇ ଚଟେଇ ଦେଉନୁ ।

 

ଭାଉଜ ସେଇଆ କରେ । ପିଲା ହଏ ଭଲ । କହି ବୁଲେ, ଧନ୍ୟ ସେ ପେଚି । କେତେ କଥା ଜାଣେ ମ, ଛୁଆରଙ୍କୁଣୀ ।

 

ପେଚି ଜାଣେ । ବର୍ଷ ବର୍ଷ ଧରି ପରପିଲାର ସେବା ସେ କରିଛି । ଗୋଟିଏ ଗୋଟିଏ କରି କେତେ ତୁଟକା ସେ ଶିଖିଛି । ସବୁ ପରୀକ୍ଷା ଥରକୁ ଥର । ଡାକିଲେ ଜବାବ ଦେବ । ବିଫଳ ହେବ ନାହିଁ ।

 

ଘରେ-

ଅପା, ଭରଥ କାହିଁକି ଚମକୁଛି ?

 

ଦେଲୁ ମୋ କୋଳକୁ ଦେଖେଁ ।

 

ଚିମୁଟିବୁ, ନା ?

 

ହଇରେ ଚଇଁଆଁ, ମୁଁ ଚିମୁଟିବ ? ତୋ ତୁଣ୍ଡରୁ ଏମିତି କଥା ବାହାରୁଚି ପୁଣି ?

 

ପଦକୁ ପଦ ଚାଲେ । ଚଇଁଆଁ ହାତମୁଠା କରି ଧାଇଁ ଆସେ । ସୁନା ଯାହା କହିଥାଏ, ଆଖି ନାଲି କରି ଦାନ୍ତରଗଡ଼ି ସବୁ ଉଦ୍‌ଗାରେ, ଠଣାରୁ ତୁ ପଇସା ଚୋରିକରି ନେଲୁ, ସୁନାକୁ ଚୋରଣୀ କହିଲୁ ।

 

ଏମିତି କେତେ କଥା !

 

ପେଚିର ଆଖିରୁ ଲୁହ ଝରେ । ପିଠି ଆଉଁଷେ । ଚଇଁଆଁ ରାଗ ତମ ତମ ହୋଇ ଘରୁ ବାହାରି ଯାଏ । ପେଚିର ତୁଣ୍ଡ ଫିଟେ ନାହିଁ । ଚୋର ମା ସେ । ଯେବେ କାନ୍ଦିବ ତୁନି ତୁନି କାନ୍ଦିବ ସିନା । କାଳେ ଲୋକେ ଜାଣିବେ ।

 

ପେଚି ରୁଷେ । ବାଡ଼ି ଖଣ୍ଡି ଧରି ଚାଣ୍ଡେ ଯାଏ ବାଲି ପାହାଡ଼ ଉପର ଝଙ୍କାଳିଆ ବରଗଛ ତଳକୁ । ବାଲୁଙ୍କେଶ୍ୱରଙ୍କ ଆଗରେ ଅଜାଡ଼ି ଦିଏ ଲୁହ । ସଞ୍ଜ ବୁଡ଼ିଆସେ । ପେଚିର ମନର କୋହ ମନରେ ମରେ । ମନ କହେ ହ, ଚଇଁଆଁଟା ତ କାଲିକାର ପିଲା । ବାଇଆ ବୁଦ୍ଧି । ସୁଧାର ହେବ ଯେ । ସୁନାଟା ବି ତ ପିଲା । ତା କଥାକୁ ଧରି ବସିବି ? ଚଇଁଆଁ କଥାକୁ ଛଳ କରିଚି ?

 

ପେଚି ଫେରେ ।

 

ଡାକେ, ଚଇଁ କିରେ- ?

 

ଚଇଁଆଁକୁ ଲାଜ ମାଡ଼େ । ଅପାର ପାଟି ଶୁଣି ସେ ଖସି ଯାଏ କଦମ୍ବ ମୂଳକୁ ଯେଉଁଠି ଗାଁ ଲୋକେ ତ୍ରିନାଥ ମେଳା କରୁଛନ୍ତି । ଖଞ୍ଜଣି ମାଡ଼ ବି ଚାଲିଛି । ଚିଲମଟା ଗୋଟାଏ ହାତରୁ ଆର ହାତକୁ ଡେଇଁ ପଡ଼ୁଛି । ଗାୟକ ବୋଲୁଚି, ଆଉରି ବେଣା ଓପାଡ଼ଇ, ଏ ଆହୁରି, -ଗଛ ସେ ପାଖେ, ଭଜିଲେ ତୋ ଦୁଃଖ, ଭଜିଲେ ତୋ ଦୁଃଖ ରହିବ ନାହିଁ, ଭଜ ମନରେ, ଭଜମନ-

 

ଘରେ ଏଣେ ପେଚି କହେ, ଆଲୋ ସୁନା, ପାଗଳାଟା କୁଆଡ଼େ ଗଲାଣି । ଚୁଲିରେ କୁହୁଳା ପଡ଼ିବ ନାହିଁକି?

 

ସୁନା ଜବାବ ଦିଏ ନାହିଁ ।

 

ପେଚି ରନ୍ଧା ଘରେ ପଶେ ।

 

ପେଚି ଆଜି ରୁଷିଛି-

ସଞ୍ଜ ହେଲା । ସୁନା ଥାଳି ପରି ସୁନ୍ଦର ପୂନେଇଁ ଜହ୍ନ ସମୁଦ୍ର କୋଳରୁ ଉଠି ଆସିଲା । ପୂରୁବ ଆଡ଼କୁ ମୁହଁ ଫେରାଇ ପେଚି ଚାହିଁଲା । ସମୁଦ୍ର ଲହଡ଼ି ଉପରେ ଉଜ୍ଜ୍ୱଳ ଜୋଛନାର ଖେଳ । ଦୂର ବାଲିବନ୍ତର ଧୂସର ଉଜ୍ଜ୍ୱଳ ରୂପ।

 

ପେଚି ବୁଝିଲା, ଡେରି ହେଲାଣି । ଅନ୍ୟ ଦିନ ପରି ଅବାଧ୍ୟ ଗୋଡ଼ ଦୁଇଟା ବାପର ଡିହ, ନିଜ କମେଇଁ ମଥାନ ତଳକୁ ତାଆର ଦେହଟାକୁ ଟାଣି ନେଲା ନାହିଁ । ସେ ବସିଲା, ପୁଣି ଭାବିଲା-

 

ଚଇଁଆଁ ତାକୁ ଚାହେଁ ନାହିଁ । ଚଇଁଆଁ ଡିମ୍ବରୁ ଫୁଟି ଚଢ଼େଇ ହୋଇଛି । ତାଆର ଡେଣା ଲାଗିଛି । ସେ ଉଡ଼ିଛି । ଏଥର ସେ ଖୁମ୍ପିବ । ଦୁନିଆ କଥା । ହଉ, ହଉ, ସେ ଘର କରୁ । ମୁଖରେ ରହୁ । ସେ ଯେମିତି ଚଇଁଆଁକୁ ମଣିଷ କଲା, ଚଇଁଆଁ ସେମିତି ଭରଥିଆକୁ ମଣିଷ କରୁ । ଉଡ଼େଇ ଶିଖାଉ । ଗଦେଇ ସାହୁର ନାଆଁ ରହୁ ।

 

ଚଇଁଆଁର ସଂସାରରେ ପେଚି ଏବେ ଅଲୋଡ଼ା, ବିଲ ହୁଡ଼ାର ହୁଙ୍କା ପରି ।

 

ପେଚି ତ ଅନ୍ୟ ଡାଳକୁ ଉଡ଼ିଯିବ ।

 

ସୁନାପାଣିଧୁଆ, ଜୋଛନାଛିଞ୍ଚା, ବାଲିପାହାଡ଼ ମାଳର ଚାରିଆଡ଼େ ସେ ଆଖି ବୁଲାଇଲା । କୁଆଡ଼େ ଯିବ, କେଉଁ ଡାଳରେ ନୂଆ କରି ବସା ବାନ୍ଧିବ ?

 

ଉଭା ହେଲା ଆଖି ଆଗରେ ମଣିଆଁ । ସତର ଅଠର ବର୍ଷର ଯୁବକ ନୁହେଁ, ପଇଁତିରିଶ ବର୍ଷର ଦରବୁଢ଼ା । ମଣିଆଁର ପାଖରେ ଚମ୍ପା । କେତେ ଦୁର୍ବଳ ଦେହ । ବିରସ ମୁହଁ । ପେଚି ଶୁଣିଥିଲା, ତିନି ବର୍ଷର ପୁଅ ହାଡ଼ିଆ, ଦିନେ ଭଲ ହେଲେ ତିନିଦିନ ରୋଗରେ ଘାଣ୍ଟି ହେଉଛି । ମିଁ ମିଁ ହେଲାଣି ଅପର୍ତ୍ତିଆଣି ବୋଲି କେଉଁ ଗାଁରୁ ହାଡ଼ିଆଣୀ ଡକାଇ ଜନ୍ମ ହେଉଁ ହେଉଁ ଫୁଲନାଡ଼ି କରି ବିକି ଦେଇ ଥିଲେ । ଆଜିଯାଏ ଭଲ କରି ଠିଆ ହୋଇନାହିଁ । ତୁଣ୍ଡରୁ କଥା ବାହାରି ନାହିଁ । ହାଡ଼ିଆଣୀଠୁଁ ମୁକୁଳେଇ ନାହାନ୍ତି ।

 

ପାଳ ଘର ଦେଠେଈର ନାତିକୁ ଖେଳଉ ଖେଳଉ ସେଇ ଦିନ ସକାଳେ ବୁଢ଼ୀ କହିଲେ, ଶୁଣିଲୁଣି ଲୋ ଛୁଆରଙ୍କୁଣୀ ତୋ’ ଦେଠା ଯାଇଥିଲେ କୁଜଙ୍ଗ ଗଡ଼ । ଛତରଖିଆ ଧନିଆଁ ବାଉରି କହୁଛି, ହଇ ହୋ ସାଆନ୍ତେ, ଆରେ କଞ୍ଚା ଡାଆଁଣୀ ଛୋଟି ପେଚିକୁ ଗାଁରେ ରଖି କେମିତି ଚଳ ପ୍ରଚଳ ହେଉଛି ? ତମ ଗାଁରେ କଅଣ ପିଲା ଛୁଆ ନାହାନ୍ତି କି?

ସେ ପଚାରିଲେ, କଅଣ ହେଲା କି ?

 

କହିଲା, କିହୋ, ଏ କଥା ଫେରେ ପଚାରୁଛ ନା ? ତା ନାଆଁ ପଡ଼ିଲେ ରାତିରେ ପିଲାଏ ଚମକି ଉଠୁଛନ୍ତି । ଡଉଁରିଆ ବାନ୍ଧିଲେ ଯାଇଁ ରକ୍ଷା । ମଣିଆଁର ପିଲାଟାର ତ ଡଙ୍କ ମୋଡ଼ି ଦେଲାଣି-। ଲୋକେ କହିଲେ, ଯାଆରେ ମଣିଆଁ, ଦୂରରେ ଥାଇ, ପଦ ପଢ଼ି, ବାଣ ମାରି ଏମିତି କଲବଲ କରି ଶୋଷି ପ୍ରାଣ ନେବ କାହିଁକି, ଯାଆର, ତାଆରି ପାଖରେ ପକେଇ ଦେଇ ଆସିବୁ । ଖାଉ ସେ, ଜୀଅନ୍ତା ଖାଉ । ଚମ୍ପା କୁଆଡ଼େ କହିଲା, ପାଞ୍ଚ ପୁଅତ ଗଲେଣି, ହାଡ଼ିଆ ବି ଯିବ । କୁତାମଚଣ୍ଡୀ ଠାକୁରାଣୀଙ୍କ ନାମରେ ପାଣି ଛଡ଼େଇ ଦେଇଛି । ରଖିଲେ ରଖିବେ, ନେଲେ ନେବେ। ସାତପୁଅ ପଛେ ଯମକୁ ଦେବି, ପୁଏ ଦେବିନାହିଁ ସଉତୁଣୀକୁ ।

 

ପେଚି କୋଡ଼ରେ ପାଳ ଘରର ଅଢ଼େଇ ବର୍ଷର ନାତି କିରି କିରି ହୋଇ ହସୁଛି । ତାଆର ଅଲରା ବାଳ ମୁଠା ମୁଠା କରି ଟାଣୁଛି । ଆଖିରେ କାନରେ ଆଙ୍ଗୁଠି ଗେଞ୍ଜୁଛି । ପେଚି ଅଇଗୁଣ ପାଇନାହିଁ । ଓଲଟି ପିଲାର ପେଟରେ ମୁଣ୍ଡ ଲଗାଇ ହଲାଉଛି । ପିଠି ସାଲୁ ସାଲୁ କରୁଛି । ନାତି ଟୋକା ପୁଣି ହସୁଛି ।

 

ତୁପ୍ତ ଆଖିରେ ମୁହୂର୍ତ୍ତେ ଚାହିଁ ଗପୁଡ଼ି ଦେଠେଈ ବୁଢ଼ୀ ପୁଣି ତାଙ୍କର ଗପମୁଣି ଝାଡ଼ିଲେ, ଧନିଆଁ ବାଉରି ଏଡ଼େ ବହପରେ କହିଗଲା । ଦେଠା ତୋଅର ତୁନି ରହନ୍ତେ କି ? କହିଲେ, ଆରେ ମନ ଦୁଡ଼ୁ ଗୁଡ଼ୁ ଜୀବନ ନିଏ । ମନ କାହାର ଦୁଡ଼ୁ ଗୁଡ଼ୁ ହୁଏ ଜାଣୁ ? ଯେ ପାପ କରେ, ଅନ୍ୟାୟ କରେ । ଯିଏ ଭଲ, ସିଏ ହଲିଲା ପାଣିକି ଗୋଡ଼ ନ ବଢ଼ାଏ, ତାଆର ମନ ଦୁଡ଼ୁ ଗୁଡ଼ୁ ହେବ କାହିଁକି । ଆଗ ଗୋଡ଼ରେ କଣ୍ଟା ବାଜିବ ନାହିଁ । ହେ ଧନିଆଁ, ମଣିଆଁକୁ କହି ଦେବୁରେ, ଯେଉଁ ଅନ୍ୟାୟ ସେ କରିଛି, ଆଉ ସୁଧୁରିବ ନାହିଁ । ଗୋଟାଏ ଜୀବନକୁ ବିନା ଦୋଷରେ ହନ୍ତସନ୍ତ, ଡହଳ ବିକଳ କରି ସନ୍ତୁଳୁଛି, ସାତ ଜନ୍ମଯାଏ ତାଆର ଭଲ ଦଶା ନାହିଁ । ଏମିତି ଡହଲ ବିକଳ ହେଉଥିବ । ହାତ ପିଠରେ ଲୁହ ପୋଛୁଥିବ ।

 

ଝିଅ ଲୋ, ଧନିଆଁ ତାଟଙ୍ଗା ହେଇ ଠିଆ ହେଲା । କହିଲା, ହଁ, ନିଶ୍ୱାସ ପଡ଼ିଲା ଛୋଟିର ।

 

ତୋ ଦେଠା କହିଲେ, ପେଚିର ନିଶ୍ୱାସ କାହିଁକି ପଡ଼ିବ ରେ ? ତ୍ରିଲୋଚନ ପୁରର ସବୁ ପିଲାତ ତାଆରି କୋଳର ମଣିଷ । ତା ହାତ ବାଜିଲେ ତ ଝାଉଁଳା ଗଛ ମୁଣ୍ତ ଟେକି ଚାହିଁବ, ମଉଳା ଫୁଲ ପୁଣି ପାଖୁଡ଼ା ମେଲିବ । ସେଇ ମଣିଆଁ ଚମ୍ପାଙ୍କର ନିଶ୍ୱାସ ନିଜ ପିଲାଙ୍କ ଉପରେ ପଡ଼ୁଛି । ନିଜ ଉଦ୍‌ଗାରିଲା ବିଷ ନିଜେ ପିଇ ମରୁଛନ୍ତି । କହି ଦେବୁରେ, ଯାଆନ୍ତୁ ଦୁଇ ପ୍ରାଣୀ ଯାକ । ପେଚିର ହାତ ଧରି ଘରକୁ ଆଣନ୍ତୁ । ପିଲକୁ ତାଆରି କୋଳରେ ଦେଇ ଶରଣ ପଶନ୍ତୁ । ପେଚି ହସୁ-। ତାଆରି ହସରେ ସବୁ ଉଜ୍ଜ୍ୱଳ ହେବ ।

 

ଧନିଆଁ କହିଲା, ସାଆନ୍ତେ ଚମ୍ପା ହେଲା କମାରତ ମଣିଆଁ ହେଲା ଲୁହା । ଦିହେଁ କୋଚଟ-। ଅଗ୍ନି ଦେବତା ମାଡ଼ ଖାଇବା ସାର ହେବ । ଲଙ୍ଗଳ ନୁହା ଗଢ଼ି ହେବ ନାହିଁ । ଯାଉ, ପର କଥାରୁ କଅଣ ମିଳିବ ଆମୁକୁ । ଯାହା ଗୋଠରେ ଯିଏ ଧୂଆଁ ଦେବ । ଆମର ଯାଏ ଆସେ କଅଣ ?

 

ପେଚି ରାଉଳ ଦେଠେଈର କଥା ଶୁଣିଥିଲା ସିନା, କିଛି କହି ନ ଥିଲା ।

 

ନିରୋଳା ସଞ୍ଜର ଶୀତୁଳିଆ ଥିରି ପବନରେ ପୁଣି ସେଇ କଥା ଗୁଡ଼ିକ ତାଆର କାନରେ ବାଜିଲା । ସମୁଦ୍ରର ଲହଡ଼ିଭଙ୍ଗା ଗମ୍ଭୀର ତାଳଦେଲା ଶବଦରେ ଛାତି ପଡ଼ିଲା ଉଠିଲା । ନିଜକୁ ସେ ବିଶ୍ୱାସି କରି ପାରିଲା ନାହିଁ । ଏତେଲୋକ କହୁଛନ୍ତି, ସେ କଞ୍ଚା ଡାଆଣୀ, ସେ ପିଶାଚୁଣୀ । ସତେ କଅଣ ସେ ସେଇଆ ? ହେଇଥିବ କାଳେ । ମାଆକୁ ଖାଇଛି, ବାପକୁ ଖାଇଛି, ପୁଣି ଦୂରରେ ଥାଇ ଶାଶୁ, ଶ୍ୱଶୁର, ସଉତୁଣୀର ପାଞ୍ଚ ପୁଅ ଖାଇଲାଣି । ବାହାହେଲା ବରର ରକ୍ତ ମାଂସ ଶୋଷି ଖାଇଛି ।

 

ପେଚି ଅସ୍ଥିର ହେଲା ।

 

କୋହ ଉଠିଲା ମନରୁ । ସେ ତେବେ ସତରେ ଡାଆଣୀ ? ବାପ ମା ସଭିଙ୍କର ମରନ୍ତି । ଶାଶୁ ଶ୍ୱଶୁର ବି । ସମସ୍ତେ ତ ଡାଆଣୀ ନୁହନ୍ତି । ସଉତୁଣୀର ପିଲାଙ୍କର କେବେହେଲେ ସେ ମନ୍ଦ ମନାସି ନାହିଁ । ବର, କଲ୍ୟାଣ କରିଛି। ତଥାପି, ସେ ମଲେ । ତ୍ରିଲୋଚନପୁରର ସବୁ ପିଲା ତାକୁ ସୁଖ ପାଆନ୍ତି । ମାଆ କୋଳରୁ ତା କୋଳକୁ ଡେଇଁ ପଡ଼ନ୍ତି । ସେ ତ ମନ୍ତର ଜାଣେ ନାହିଁ । ଏଠୁ ସେଠି ଦେଖି ପାଞ୍ଚ ସାତଟା ତୁଟୁକା ଶିଖିଛି । କେତେଥର ପରଖିଛି । କାଟୁ କରେ । ପିଲାଛୁଆ ଡରିଲେ କୁତାମଚଣ୍ତୀ ଠାକୁରାଣୀ, ବାଲୁଙ୍କେଶ୍ୱର ମହାଦେବଙ୍କ ନାମରେ ଥରେ ଆଉଁଷି ଦିଏ। ସେତିକିରେ ପିଲା ଭଲ ହୁଏ ବୋଲି ଲୋକେ କହନ୍ତି । ରାତି ଅଧରେ ପେଚିକୁ ଡକାଇ ପଠାନ୍ତି ।

 

ତେବେ ସେ ଡାଆଣୀ କେମିତି ହେଲା ?

 

ନାଇଁ, ନାଇଁ, ଡାଆଣୀ ସେଇଁ ଛତରଖାଇ ଚମ୍ପା । ଆସୁ ଅସୁ, ଶାଶୁ ଶ୍ୱଶୁରଙ୍କ ଗୋଡ଼ରେ ହାତ ଦେଉଁ ଦେଉଁ, ସେମାନେ ଗଲେ । ପାଞ୍ଚ ପାଞ୍ଚଟା ପିଲାଙ୍କୁ ଜନମ କରି ଖାଇଛି । ଏଡ଼େ ସୁନ୍ଦର ବରକୁ ଦରମଲା କଲାଣି । ପିଲା ବକଟେ ପୁଣି ଆଣିଛି କୋଳକୁ ଯେ, ସେ ବି କୁଆଡ଼େ ମିଁ ମିଁ ହେଲାଣି । ସତକଥା, ଚମ୍ପାର ମନ ଦୁଡ଼ୁଗୁଡ଼ୁ ତାଆର ହୋଇଛି କାଳ ।

ପେଚି ତାଆର ଫୁରୁ ଫୁରୁ ବାଳ ଭିତରେ ଆଙ୍ଗୁଠି ପୂରାଇ ବାଲି ଝାଡ଼ି ଦେଲା । ପିନ୍ଧିଥିବା ଲୁଗା ଖଣ୍ତିରୁ ବାଲି ଝାଡ଼ି ବାଡ଼ି ଖଣ୍ତି ଧରି ବାଲି ପାହାଡ଼ର ଶିଖ ଉପରୁ ଓହ୍ଲାଇ ଆସିଲା ତଳକୁ । ବାଲୁଙ୍କେଶ୍ୱର ମହାଦେବଙ୍କ ଆଡ଼କୁ ଚାହିଁ ଦଣ୍ତବତ ହେଲା । ହେ ମହାପୁରୁ, ତମ ସାଙ୍ଗେ ମୋର ଏତିକି ଦେଖା । ଆଉ ତମ ପାଖରେ ଦୁଃଖ ଜଣେଇବାକୁ କେବେ ଆସିବି ନାହିଁ । ମୋଓର ଆଉ ଦୁଃଖ ନାହିଁ ।

 

ସମୁଦ୍ର କୂଳିଆ ଚଢ଼େଇଟିଏ ଚିଁ ଚିଁ ହୋଇ ତାଆରି ମୁଣ୍ତ ଉପରେ ଉଡ଼ିଗଲା । ପେଚି ମୁଣ୍ତ ଟେକିଲା । ଜହ୍ନ କେତେ ଉପରକୁ ଉଠିଲାଣି । ଦି ପାହାଡ଼ର ସନ୍ଧି ଭିତରୁ ଉଠି ଆସୁଛି । କେତେ ରାତି ହେଲାଣି । ଦୂର କିଆବଣ ଭିତରୁ ପହରିକିଆ ବିଲୁଆପଲ ବୋବାଳି ଛାଡ଼ିଲେ ।

 

ପେଚି ଅଣ୍ଟା ସଳଖି ଠିଆ ହେଲା ।

 

ସେ ଯିବ । ମାନ ଅଭିମାନ କଅଣ ? ମାନ ଅଭିମାନ ସେ କେବେ କରି ନାହିଁ । ଚଇଁଆଁ ସିନା ତାଆର ଗୋଡ଼ ବାନ୍ଧି ରଖିଥିଲା । ଚଇଁଆଁ ତାକୁ ମୁକାଳି ଦେଲାଣି । କହିଲାଣି, ଯା-

 

ମାଇପେ କହନ୍ତି, ଭାଇ ରାଜା ହେଲେ ଭାଉଜ ରାଣୀ, ଯିଏ କହିବ ରାଜାଙ୍କ ଭଉଣୀ । ସାହୁଘର ଢିଅ ଉପରେ ଯେଉଁ ନୂଆଣିଆଁ କୁଡ଼ିଆ, ସେ କୁଡ଼ିଆର ଘରଣୀ ସୁନା, ପେଚି ଚଇଁଆଁର ଭଉଣୀ ସିନା, ଘରର ଘରଣୀ ନୁହେଁ ତ।

 

ପେଚି ଯିବ, ଯେଉଁ ଚାଳ ତଳକୁ ମଣିଆଁ ତାକୁ ଦିନେ ହାତ ଧରି ନେଇଥିଲା, ସେଇଠିକି । ମଣିଆଁ ତାକୁ ମାଡ଼ ମାରିବ । ମାରୁ । ଭାଇର ମାଡ଼ ଯେ ପିଠିରେ ସହିଛି, ବରର ମାଡ଼ ସେ ସହିବ ନାହିଁକି ? ମଣିଆଁର ମାଡ଼ ଖାଇ ଶ୍ୱଶୁର ଢିଅରେ ପଡ଼ି ପ୍ରାଣ ଗଲେ କେହି ତ କହିବ ନାହିଁ ରଜାଙ୍କ ଭଉଣୀ । ପେଚି ମରିବ ତାଆରି କରମ ଭୂଇଁରେ ।

 

ପେଚି ଯିବ । ଚମ୍ପା ଆଗରେ ଠିଆ ହୋଇ ହାତପାତି ମାଗିବ, ଦେ, ଦେଏ ଲୋ ରାକ୍ଷସୁଣୀ, ପାଞ୍ଚପୁଅ ତ ଯମକୁ ଦେଲୁ, ଏଇ ଧଡ଼ିଆ ଧେଡ଼ଙ୍ଗ ପିଲା ବକଟକ, ଯାହାକୁ ହାଡ଼ିଆଣୀକୁ ବିକ୍ରି ଦେଇଛୁ, ମୋ ହାତକୁ ଟେକି ଦେ । ପାରିବି ଯଦି ବଞ୍ଚେଇବି, ନ ପାରିଲେ ତାକୁ କୋଳରେ ଘେନି ମଶାଣିରେ ଶୋଇବି ।

 

ପେଚି ଭାବିଲା, ଚମ୍ପା ତାଆର ସଉତୁଣୀ ନୁହେଁ, ଚମ୍ପା ତାଆର ସାନ ଭଉଣୀ । ମଣିଆଁ ଚମ୍ପାଙ୍କର କମେଇଁ ସେ ଖାଇବ ନାହିଁ । ନିଜେ ଭେଇବ, ଯେମିତି ଆଜିଯାଏ ଭେଇଛି । ଡିହକୁତୀ ପରି ଶ୍ୱଶୁର ଚାଳ ତଳେ କାନି ପାରି ଶୋଇବ । ସବୁ ଗାଳି ମାଡ଼ ସେ ସହିବ । ମନ ତାଆର ପଥର ହେଇଛିପିଠି ହେଉଚି ଧୋବା ତୁଠର କାଠ ପରି । ଆଉ କି ଡର ?

 

ତ୍ରିଲୋଚନପୁର ଗାଁ ଭିତରକୁ ଗୋଡ଼ ବଢ଼ାଇବାକୁ ମନ ହେଲା ନାହିଁ । ସେଇ ଜନମ ଭୂଇଁ, ଯାଆକୁ ଜନମରୁ କୋଳରେ ପାଳି ମୁଣ୍ତବାଳ ପାକଲା କଲାଣି । ସବୁ ମଣିଷ, ସବୁ ଗଛବୃଛ, ଜୀବଜନ୍ତୁ, ଖାଲ ଢିପ ତାଆର । ସମସ୍ତେ ପଚାରିବେ, କୁଆଡ଼େ ଯାଉଛୁ ଲୋ ? ସମସ୍ତେ ତାଆର ହାତ ଧରି ଅଟକାଇବେ, ପଚାରିବେ ମାୟା ମମତା କାଟି ଯାଉଛୁ?

 

ପେଚି ଚାଲିଲା ।

 

ଗାଁ ବାହାରେ ବାଲିବନ୍ତର କଡ଼େ କଡ଼େ ତ୍ରିଲୋଚନପୁରକୁ ବଙ୍କେଇ ବଙ୍କେଇ ବାଟ ପଡ଼ିଛି-। ଭାରି ବୁଲାଣି। ପେଚି ବେଗିବେଗି ପାହୁଣ୍ତ ଚାଲିଲା । ଆଜି ସେ ଶାଶୁଘର ଯାଉଛି । ତାପାଇଁ ବାଇଦ ବାଜୁନାହିଁ, ମହୁରୀ କାନ୍ଦୁ ନାହିଁ, ବାପାଭାଇ ପଛରେ ଗୋଡ଼ାଇ ଯାଉ ନାହାନ୍ତି । ପେଚି ଯାଉଚି ଏକା । ଅଲୋଡ଼ା ଅଖୋଜା ପେଚି, ପଣ କରି ଯାଉଛି, ଆର ଫେରିବ ନାହିଁ । ଶ୍ୱଶୁର ଡିହରୁ ଯେବେ ହେଲେ ମଶାଣିକି ଯିବ ସିନା ଯେଉଁଠି ତାଆର ଶାଶୁ ଶ୍ୱଶୁର ଅନେଇ ବସିଥିବେ, ବାହୁଡ଼ି ଗଲା ପାଞ୍ଚୋଟି ନାତିଙ୍କୁ କୋଳରେ ଖେଳାଉ ଥିବେ, ସେ ଆଉ ବାହୁଡ଼ିବ ନାହିଁ ଜନମ ଭୂଇଁକି ।

 

ପେଚିର ଦୁଇ ଆଖିରୁ ଝରି ଆସିଲା ଲୁହ । ସେ ଚାଲିଲା ଆଗକୁ, ପଛକୁ ଫେରି ଚାହିଁଲା ନାହିଁ କିନ୍ତୁ, କିଏ ଯେମିତି ପଛରୁ ତାଆର ଚୋଡ଼ ଅଟକଉ ଥାଏ ।

 

ରାତି ଦି’ ଘଡ଼ିକୁ ତ୍ରିନାଥ ମେଳାରୁ ଚଇଁଆଁ ଫେରିଲା । ଗଞ୍ଜେଇ ନିଶା ଛାଡ଼ି ଆସୁଥାଏ, ଭଲ କରି ଛାଡ଼ି ନ ଥାଏ। ବେଳେ ବେଳେ ଝାଙ୍କି ଦେଉଥାଏ ମୁଣ୍ତ । କାନରେ ବାଜି ଯାଉଥାଏ ପଦଟିଏ ଗୀତ, ଆହୁରି ବେଣା ଓପାଡ଼ଇ-

 

ଭରଥିଆ ଅଝଟ ହୋଇଛି । ରାହା ଧରି କାନ୍ଦୁଛି । କୋଳରେ କାଖରେ ରହୁନାହିଁ । ସୁନା ତାକୁ ଯେତେ ବୁଝେଇଲେ ସେ ବୁଝୁନାହିଁ ।

 

ଅପା କୁଆଡ଼େ ଗଲା କି ? ଚଇଁଆଁ ପଚାରିଲା ରାଗ ତମତମ ହେଇ ।

 

କେଏ ଜାଣି ତମର ଅପା ! ଦିନ ଦିଇଘଡ଼ି ଥାଉଣୁ କେତେବେଳେ ହାଣ୍ତିରୁ ପଖାଳତକ ଛାଣି ଖାଇ କୁଆଡ଼େ ଯାଇଛନ୍ତି ଯେ ଏତେବେଳ ଯାଏ ଦେଖା ଦର୍ଶନ ନାହିଁ । ସୁନା ବଖାଣିଲା ।

 

ତେମେ କୁଆଡ଼େ ଯାଇଥିଲ ?

 

ନଈକି । ସେଣୁ ଫେରି ଦେଖିଲି ପିଲା କାନ୍ଦୁଛି । ମତେ ଦେଖି ତରତର ହୋଇ ଅପା ଚାଲିଗଲେ । ପିଲାକୁ ତୁନି କଲି । ଘଡ଼ିଏ ହେଲା ପୁଣି ରାହା ଧରିଛି ।

 

ଚଇଁଆଁ ଭରଥିଆକୁ କୋଳକୁ ନେଲା । ପିଲା ତୁନିହେଲା ନାହିଁ । ବିରକ୍ତ ହୋଇ ସୁନା କୋଳକୁ ଦେଇ ଦାନ୍ତ ରଗଡ଼ି କହିଲା, କାହା ଘରେ ଯାଇଁ ପୁଅ ଖେଳାଉଥିବ । ଆସୁ ସେ ଆଜି, ଗୋଟାଏ ଗୋଡ଼ରେ ଗାଁଟାକୁ ତିନି ଖେପା କରୁଛି । ସେଇ ଗୋଡ଼ଟା ଭାଙ୍ଗି ନ ଦେଲେ ସେ ସାଧ୍ୟ ହେବ ନାହିଁ ।

 

ସୁନାର ମନ ଉଲୁସି ଉଠିଲା ।

 

ଭରଥିଆ ତୁନି ହେଲା ।

 

ବାହାରୁ କିଏ ଡାକ ଛାଡ଼ିଲା, ପେଚି ଅଛୁ କି ଲୋ ?

 

ଶବଦ ବାରି ଚଇଁଆଁ ଜବାବ୍‍ ଦେଲା, କିଏ ବାଉରିଆ ଦାଦି ?

ହ ରେ ପୁଅ ।

 

ଚଇଁଆଁ ପଦାକୁ ଆସିଲା । ପଚାରିଲା, କଅଣ ?

 

ଆରେ ପୁଅ, ମୋ ଝିଅ ଗେହ୍ଲି ଆଜି ଶାଶୁ ଘରୁ ଆଇଚି । କୋଳରେ ଆଠମାସର ପୁଅ । ବାଟରେ କୋଉଁଠି କାହାର ଦୃଷ୍ଟି ପଡ଼ିଲା । ଖାଲି ଚମକୁଛି । ତୋ ଖୁଡ଼ି ବଟେଇଲେ । ପେଚି ଟିକେ ଝାଡ଼ି ଦେଲେ ଦୃଷ୍ଟି ଭାଙ୍ଗିବ । ଗେହ୍ଲି ପିଲାକୁ କୋଳରେ ଧରି ବସି କାନ୍ଦୁଛି । ପେଚି କାହିଁ ବାପ ।

 

ଚଇଁଆଁ କହିଲା, ଖରା ଥାଉଣୁ ସେ ଯାଇଛି । ଏତେବେଳଯାଏ ଫେରି ନାହିଁ । କାହା ଘରେ ବସିଥିବ ।

 

କେଉଁଠି ଆଉ ଥିବ ? ଗାଁ ଯାକ ଘର ଘର କରି ଖୋଜି ଅଇଲି, ବାଟରେ ପଚାରି ବୁଝିଲି-। କୋଉଠି ତ ନାହିଁ ସେ । ହଉ; ସେ ଅଇଲେ ଝଅଟ ଟିକେ ବଟେଇ ଦବୁ ପୁଅ । ଯେତେ ରାତି ହେଉ ପଛେ ।

 

ବାଉରିବନ୍ଧୁ ଚାଲିଗଲେ ।

 

ଚଇଁଆଁ ଭାବିଲା, ବଡ଼ ଆଚମ୍ବିତ କଥା । ଗାଁଯାକ ବାଉରିଆ ଦାଦି ଖୋଜି ଆଇଲା, ଅପାକୁ କେଉଁଠି ପାଇଲା ନାହିଁ । ଏତେ ଡେରି ଯାଏ ଅପା କେବେ କେଉଁଠି ରହେ ନାହିଁ । ଗଲା କୁଆଡ଼େ ?

 

ଘର ଭିତରକୁ ଆସିଲା ।

 

ସୁନା ଭରଥିଆକୁ ଖଟିଆରେ ଶୋଇଦେଇ ଡିବିରି ଧରି ରୋଷ ଘରକୁ ଯାଉଛି । ମୁହଁ ଫେରାଇ କହିଲା, ତେମେ ପୁଅ ପାଖରେ ଟିକେ ବସ କି ଘଡ଼ି କରେ ମୁଁ ଭାତ ଗଣ୍ତାଏ ଫୁଟେଇ ଦେବି ।

 

ରୋଷେଇ ହେଇନାହିଁ ?

 

ମୁଁ କଅଣ ଦିଫଡ଼ା ହଅନ୍ତି କି ? ପୁଅକୁ ଧରି ତ ଏତେବେଳ ଯାଏ ବସିଥିଲି ।

 

ସୁନା ରୋଷଘରେ ପଶିଲା ।

 

ଭୋକରେ ଚଇଁଆଁର ପେଟ ଗର୍ଜି ଉଠୁଛି । ମୁଣ୍ତକୁ ତାର ପିତ୍ତ ଚଢ଼ିଲା । ଠେଙ୍ଗାଟା ହାତରେ ଧରି କହିଲା, ଥାଉ ତମ ରୋଷେଇ । ପିଲା ପାଖକୁ ଆସ । ଦେଖେ, ସେ କୁଆଡ଼େ ଗଲା

 

ମାଠିଆରେ ହାତ ମାରି ସୁନା କହିଲା, ମଲାମୋର, ପାଣି ତ ବୁନ୍ଦାଏ ନାହିଁ, ରୋଷେଇ କାହିଁରେ ହେବ ?

 

ପାଣି ନାହିଁ ।

 

ପିଲାଟାକୁ ଧରି ବସିଲି । ଦାସଘର କୂଅରୁ ମାଠିଆଏ ପାଣି ଆଣି ଦେବ କି ?

ଚଇଁଆଁ ଦାନ୍ତ ରଗଡ଼ିଲା । କିଛି ନ କହି ପଦାକୁ ବାହାରି ଆସିଲା । ଖର ନିଶ୍ୱାସ ଛାଡ଼ି ମନକୁ ମନ କହିଲା, ଦେଖିବି ଆଜି, ସେ କେଉଁଠି ପଶିଛି । ଆର ଗୋଡ଼ଟା ଛୋଟା ନ କଲେ ସେ ସାଧ୍ୟ ହେବ ନାହିଁ । କିଏ ତା ପିଠିରେ ପଡ଼ିବ ଦେଖିବି ।

 

ଭୋକରେ କାଉଳି ବାଉଳି ହେଇ ଗଞ୍ଜେଇ ନିଶାରେ ଟଳି ଟଳିକା ଚଇଁଆଁ ବଡ଼ ପାଟିକରି ଡାକ ଛାଡ଼ିଲା; ଅପାଲୋ.. ଓ ...., ହେ ଅପା –

,

ତାଆର କିଳିକିଳା ରଡ଼ିରେ ରାତି ଆକାଶ ଥରି ଉଠିଲା । ବାଲି ପାହାଡ଼ ମାଳ, କିଆ ହେନ୍ତାଳ ବଣ ଆଡ଼ୁ ଥଟ୍ଟାଳିଆ ସ୍ୱରରେ ଜବାବ ଦେଲା ପ୍ରତିଧ୍ୱନି, ପା-ଆ-ଆ

ଶୋଇଲା ପିଲା ଚମକି ଉଠିଲେ ।

 

ଚଇଁଆଁ ପୁଣି ଆଗକୁ ଚାଲିକା ।

 

ରାତି ପହରେ କି ଛଅ ଘଡ଼ି ହେବ, ମଣିଆଁ ଘରେ ଆଜି ଗହଳ ଚହଳ । ଯିଏ ଯାହା ବତଉଛି ଚମ୍ପା କରୁଛି । ତଥାପି ହାଡ଼ିଆର ଆଖି ଫିଟୁନାହିଁ । ଦେହରେ ତାତି ଯେ ଖଇ ଫୁଟିବ । ଚମ୍ପା କୋଡ଼ରେ ଧରି ବସିଛି । ପିଲାଟା ଚମକି ଉଠୁଛି, ହାତ ମୁଠା ମୁଠା କରୁଛି । ଚମ୍ପା କାଠ ପାଲଟିଲାଣି । ଏମିତି ପାଞ୍ଚପୁଅ ସେ ଯମକୁ ଦେଲା ଇଏ ବି ଯିବ । ଏଥର ଆଉ ସେ ସହି ପାରିବ ନାହିଁ । କୂଅ ପୋଖରୀକୁ ଡେଇଁ ପଡ଼ିବ ।

 

ମଣିଆଁ ତାଟଙ୍ଗା ହୋଇ ଚାହିଁ ରହିଛି । ଯାହା ହେବାର ହେବ କାହାର ହାତର କଥା ତ ନୁହେଁ । ତାଆର ମନ ବି ପଥର ହେଲାଣି । ଦୁଃଖ ହତାଶା ସେ ମନ ଭିତରେ ପଶି ପାରୁ ନାହିଁ ।

ଗୁଣିଆଁ ଆସିଲା । କେତେ ମନ୍ତ୍ର ପଡ଼ି ପିଲାକୁ ଝାଡ଼ିଲା । ନିଜେ ଚାପୁଡ଼ ମାରି ହେଲା । ଝୁଣା ଧୂଆଁରେ ଘର କଲା ପବିତର। କହିଲା, ଯାହା ଥିବ କପାଳେ । ପେଚି ତ ବାଣ ପେଶୁଛି । ଟାଣ ପଦ ଜାଣେ । ମୋ ମନ୍ତର କାଟ କରୁ ନାହିଁ। ତେବେ, ମୁଁ ଘରଟା କିଳି ଦିଏଁ ।

 

ଗୁଣିଆଁ ଜାତିରେ ଚମାର ପିଲା । ଖଣ୍ତମଣ୍ତଳରେ ତାଆପରି ଜାଣିଲା ଗୁଣିଆଁ ନାହିଁ ନ ଥିବେ । ଯେତେ ଯେଉଁଠି ଭୂତ ପ୍ରେତ ସଇତାନ, ଡାଆଣୀ ଲାଗେ ଏକା ସେ ଛଡ଼ାଏ । କାନିରେ ବାନ୍ଧିନେଇ ଦୂର ମଶାଣିରେ ଛାଡ଼େ । କେଡ଼େ କେଡ଼େ ଦୁଷ୍ଟ ସଇତାନକୁ ସେ ବନ୍ଧନ କରି ଗଛ ପଥରରେ କିଳି ରଖିଛି । ଆ କହିଲେ ଆସିବେ, ଯା କହିଲେ ଯିବେ । ସେଇଟା-ଅଇଅରାଣୀ, କଞ୍ଚା ଡାଆଣୀ ମଶାଣୀପଦାକୁ ଯାଏ । ହାତରେ ଚାଲି ଗୋଡ଼କୁ ମେଲି ସାଣୁ ସାଣୁ କରି ଖାଏ । ଅଦ୍‌ଭୁତ ନଙ୍ଗଳା, ଗୁଣୁ ଗୁଣୁ ହୋଇ ମନ୍ତର ପଢ଼େ । ମନକୁ ହସେ, ମନକୁ କାନ୍ଦେ, କିଳିକିଳା ରଡ଼ି ଛାଡ଼େ । ଏଇଠି, ଏଇ ପେଚି ପାଖରେ ପଦ କାଟୁ କରୁନାହିଁ ।

 

ତଥାପି ଗୁଣିଆଁ ଆଶା ଛାଡ଼ି ନାହିଁ । ଏରୁଣ୍ତି ଉପରେ ଲୁହାକଣ୍ଟା ମାରିଲା । ଚାଳରେ ଖୋସିଲା ମନ୍ତୁରା ପୁଡ଼ା । କହିଲା, ଦେଖ, ଆଜି ରାତିଟା ଭଲକରି ଜଗ । ରାତି ପାହିଲେ ଆଉ ଡର ନାହିଁ । ମା କୋଳରୁ ପିଲାକୁ ଦଣ୍ତେ ଓହ୍ଲାଇବ ନାହିଁ । ଜଗି ବସି ଥିବ ।

 

ଗୁଣିଆଁ ଗଲା । ତା ପଛେ ପଛେ ଗାଁ ଲୋକେ ଯେଝା ଘରକୁ ଫେରିଲେ । ରାତି ବଳଉଛି

 

ବାହାର ହେଲା ଶୁନ୍‌ଶାନ୍‍ । ଚମ୍ପା ଆଖିରେ ଖାଲି ଗୁଣିଆଁ ବର୍ଣ୍ଣିଲା ପେଚିର ରୂପ ଠିଆ ହୋଇ ଯାଉଥାଏ । କେଡ଼େ ଭୟଙ୍କର !

 

ମଣିଆଁ ବସିଲା ଚମ୍ପା ଆଗରେ । ରୋଗଣା ପିଲାର କପାଳରେ ହାତ ମାରିଲା । ସେମିତି ତାତି ଭରତି ହୋଇ ରହିଛି ।

 

ଘର ପଛଆଡ଼ୁ ଅଣ୍ତିରା ବିଲୁଆ କେଡ଼େ ଭୟଙ୍କର ସ୍ୱରରେ ରଡ଼ି ଛାଡ଼ିଲା । ପିଲା ଚମକିଲା । ହାତ ମୁଠା ମୁଠା କଲା । ଚମକି ଉଠିଲେ ମଣିଆଁ ଆଉ ଚମ୍ପା । ଭୟରେ ଚମ୍ପା ଚାହିଁଲା ବାହାରକୁ । ଆଖିରୁ ଝରି ପଡ଼ିଲା ଲୁହ । ମଣିଆଁ କବାଟ ଆଉଜାଇଲା ।

 

ଚମ୍ପା ବୁଝିଲା, ଆଉ ଆଶା ନାହିଁ । ସବୁଥର ଏମିତି ବୋବାଳି ଛାଡ଼େ । ନଈକୂଳ ବରଗଛ ଭିତରୁ ହୁଁ ହୁଁ କା ଚଢ଼େଇର ଡାକ । ସକାଳକୁ ଘରେ ପଡ଼େ କାନ୍ଦ ବୋବାଳି ।

ଚମ୍ପା କହିଲା, ତମରି ସବୁ ଦୋଷ । ଜଣକର ହାତ ଧରିଥିଲ ତ ପୁଣି କାହିଁକି ମୋତେ ଆଇଁଲ ? ତାଆର ନିଶ୍ୱାସ ପଡ଼ୁଛି ! ମୁଁ ଜଳି ପୋଡ଼ି ହୋଇ ମରୁଛି । ସେ ପୁଣି ଡାଆଣୀ କଳାରେ ଜନମ ।

ମଣିଆଁ ପ୍ରତିବାଦ କଲା ନାହିଁ । ସତରେ, ଏକା ତାଆରି ଦୋଷ । ବାପ ମା ସିନା ଏ ହିନିମାନ କରିଗଲେ, ଦୁଃଖ ଦହଗଞ୍ଜ ଦେଖିବାକୁ ତ ରହିଲେ ନାହିଁ । କାହା ଆଗରେ ଗୁହାରି କରିବ ?

 

ମଣିଆଁ ଭରସି କରି କହିଲା, କଥା ଟିଏ କହିବି ଚମ୍ପା ?

 

ଚମ୍ପା କରୁଣ ଦୃଷ୍ଟିରେ ଚାହିଁଲା ।

 

ଅଇଁଗୁଣ ପାଇବୁ ନାହିଁ ତ ?

 

କହୁ ନା, -

 

ହାଡ଼ିଆକୁ ତ ଦେଖୁଛୁ, ସତେ କଣ ଉସୁନା ଧାନ ଗଜା ହେବ ? ଚମ୍ପା ଲୋ, ପେଚି ଡାଆଣୀ ଚିରୁଗୁଣୀ ନୁହଁ । ଲୋକେ ଦେଖି ନ ପାରି ସେମିତି କହୁଛନ୍ତି ତ୍ରିଲୋଚନପୁର ଗାଁଆଁରେ କେତେ ତ ପୁଣି ପିଲା ଅଛନ୍ତି ଲୋ । କାହାରି ଖରାପ ହେଉ ନାହିଁ । ଓଲଟି ଛୁଆରଙ୍କୁଣୀ ବୋଲି ତା ନାଆଁ ରେ ଧନ୍ୟ ଧନ୍ୟ ପ୍ରଶଂସା ପଡ଼ୁଛି । ପିଲାଙ୍କୁ ସେ କୋଳରେ ଧଇଲେ ଯେଡ଼େ ରୋଗ ହେଲେ ଭଲ ହୁଏ ।

 

ଚମ୍ପା ଆଁ କରି ଚାହିଁ ରହିଲା ।

ମଣିଆଁ କହିଲା, ଆମ କପାଳ ସିନା ଫଟା, କାହା ଦୋଷ ଆମେ ଦେବା କାହିଁକି ? ଚମ୍ପା, ରୋଗଣା ପିଲାକୁ ଛାତିରେ ଧଅର ଲୋ । କାଲି ସକାଳେ ମଶାଣିକୁ ନେବୁ କାହିଁକି, ଆଜି ରାତିରେ ପେଚି ପାଖକୁ ଚାଲ । ତାଆରି ଗୋଡ଼ତଳେ ଥୋଇ ଦେଇ ଆସିବା । ସେ ଯଦି କୋଳରେ ଧରେ ହାଡ଼ିଆ ଆଖି ଖୋଲିବ ।

 

ଚମ୍ପା ଭାବିଲା ।

 

ମଣିଆଁ ହତାଶ ହେଲା । କହିଲା, ତୋଓରି ମନ ଯୋଗୁଁ ପାଞ୍ଚ ପିଲା ମୋଅର ମଲେ । ଯମକୁ ପାଞ୍ଚ ପୁଅ ଦେଲୁ, ପେଚିକି ଗୋଟିଏ ପୁଅ ଦେ ଚମ୍ପା, ନେହୁରା ହୋଇ କହୁଛି । ମୋତେ ତୁ ବାନ୍ଧି ରଖିଲୁ ସିନା, ସେ ତ ମତେ ଚାହିଁ ରହିଛି । ତାଆର ଦୀର୍ଘ ଶ୍ୱାସ ମୋ ପିଲାଙ୍କ ଉପରେ ପଡ଼ୁଛି-। ଚମ୍ପା, ମତେ ତୁ ଦେଇ ପାରିବୁ ନାହିଁ ଏଇ ଦରମଲା ପିଲା ବକଟକୁ ? ତା କୋଳରେ ଦେଇ ଆସିବି ତାଆର, ମନ ଶାନ୍ତି ହେଉ ।

 

ମଣିଆଁ ର ଆଖିରେ ଲୁହ ଛଳ ଛଳ ହେଲା ।

 

ଚମ୍ପା ପୁଣି ଭାବିଲା ।

 

ଘର ପଛଆଡ଼ୁ ଅଣ୍ତିରା ବିଲୁଆ ପୁଣି ଛାଡ଼ିଲା ରଡ଼ି । ବରଗଛ ଉପରୁ ଶବ୍ଦ ଆସିଲା, ହୁଁ-ହୁଁ-ହୁଁ- । ଚମ୍ପା ଚମକି ଉଠିଲା । ତା କୋଳରେ ପିଲା ଗୋଡ଼ହାତ ନାଠି ପୁଣି ହାତ ମୁଠା ମୁଠା କଲା-। ଖଇଫୁଟା ତାତି । ଗୋଟାଥାଏଁ ଥରୁଛି ।

 

ଚମ୍ପା ବଡ଼ ପାଟି କରି କହିଉଠିଲା, ଚାଲି, ମୁଁ ଯିବି । ପେଚି ଭଲ ହେଉ କି ଡାଆଣୀ ହେଉ, ତାଆରି କୋଳରେ ପିଲାକୁ ଦେଇ ଆସିବ । ପିଲା ମୋର ବଞ୍ଚୁ । ମୁଁ ସେତିକି ଚାହେଁ । ଚାଲ-ଚାଲ-

 

ମଣିଆଁ ଖୁସି ହୋଇ ତରବର କରି କବାଟ ଖୋଲିଲା ।

 

ଛାତିରୁ ଗୋଟାଏ ନିଆଁ ଖସି ପଡ଼ିଲା । ଦୁଆରବନ୍ଧ ସେପାଖେ ଠିଆ ହୋଇଛି ପେଚି । ଡିବିରି ଆଲୁଅ ସିଧା ପଡ଼ିଛି ତା ମୁହଁରେ । ଆଖି କୋଣରେ ଲୁହ ଦି ବୁନ୍ଦା ଝଲସି ଉଠୁଛି ।

 

ଥରିଲା ସ୍ୱରରେ କହିଲା ମଣିଆଁ, ପେଚି !

 

ପେଚି ଘର ଭିତରକୁ ପଶି ଆସିଲା ।

 

ଚମ୍ପା ମୁହଁ ଟେକି ଚାହିଁଲା । ଭୂତ ଦେଖିଲା ପରି ସେ ଚମକି ଉଠିଲା । କଞ୍ଚା ଡାଆଣୀ ତ ଏ ନୁହେଁ । କେଡ଼େ ଶୋଭାକାର ରୂପ । ଦର ପାଚିଲା ବାଳ । ହସିଲା ମୁହଁ । ଦୁଇ ଆଖିରୁ ଦିଧାର ଲୁହ ଝରି ପଡ଼ୁଛି । ଦୀର୍ଘଶ୍ୱାସ ଛାଡ଼ୁଛି । କେମିତି, ଜାଣିଲା ପରି ଏତେ ରାତିରେ ସେ ଏଠିକି ଆଇଲା ?

 

ତୁଣ୍ତ ଖୋଲିବା ଆଗରୁ ପେଚି ନଇଁ ପଡ଼ି ହାଡ଼ିଆର କପାଳରେ ହାତ ରଖିଲା । ଆତୁର ହୋଇ ପିଲାଟିକୁ ନିଜକୋଳକୁ ଉଠାଇ ନେଲା । ଘରର ଏଣେ ତେଣେ ନଜର ପକାଇଲା । କାନ୍ଥ କଡ଼ରେ ରଖା ହୋଇଛି ନୋଟାଏ ପାଣି ।

ପେଚି ପାଣି ନୋଟାକ ଉଠାଇ ଆଣି ପଦାକୁ ଆସିଲା । ଯତ୍ନକରି ଧରି ହାଡ଼ିଆର ମୁଣ୍ତରେ ପାଣି ଅଜାଡ଼ିଲା । ଘର ଭିତରକୁ ଆସି ପଣତରେ ଭଲକରି ପୋଛିଦେଲା ତାଆର ମୁଣ୍ତ ଓ ଦେହ ।

 

ହାଡ଼ିଆ ଆଖି ଖୋଲିଲା । ବୁଲୁ ବୁଲୁ କରି ଚାରି ଆଡ଼କୁ ଚାହିଁଲା । କ୍ଷୀଣ ସ୍ୱରରେ ଡାକିଲା, ବୋଉ - । ପେଚିର ଛାତିରେ ମୁହଁ ଗୁଞ୍ଜିଲା ।

 

ଲୁହାଝରା ଆଖିରେ ହାଡ଼ିଆକୁ ଚମ୍ପା କୋଳକୁ ଦେଇ କହିଲା, ଦେଏଲୋ ତା ପାଟିରେ କ୍ଷୀର-

 

ଡରି ଡରି ଚମ୍ପା ପୁଅକୁ ନେଲା କୋଳକୁ । ପାଟିରେ ଦେଲା କ୍ଷୀର ।

 

ପେଚି କେତେ କୁହୁକ ଜାଣେ ? ପିଲାକୁ ଜୀବନ ଦେଲା । ସେ ତେବେ ଡାଆଣୀ ନୁହଁ ? ଚମ୍ପା ଭାବିଲା । ମଣିଆଁ ଜାଣିଲା ।

 

ଚମ୍ପାର ତଣ୍ଟି ବନ୍ଦ ହୋଇ ଆସିଲା । ପେଚିର ସୁନ୍ଦର ମୁହଁକୁ ଚାହୁଁ ଚାହୁଁ ହାଡ଼ିଆ ଉପରେ ମୁଣ୍ତ ଝୁଲାଇ କହିଲା, ଅପା, ହାଡ଼ିଆ ମୋଅର ନୁହେଁ, ହାଡ଼ିଆ ତୋଓର । ତାକୁ ତୁ ବଞ୍ଚା । ତୁ ଡାଆଣୀ ନୁହଁ ଅପା, ମୁଇଁ ଡାଆଣୀ, ମୁଇଁ ପିଚାଶୁଣୀ । ପାଞ୍ଚପିଲା ତୋଓର ମୁଁ ଖାଇଚି । ତୋ ପିଲାକୁ ତୁ ନେଏ ଲୋ ଅପା ।

 

ଆଖିରୁ ଲୁହ ଝରିଲା । ଛାତିର କୋହରେ ତୁଣ୍ତରୁ ଆଉ କଥା ବାହାରିଲା ନାହିଁ ।

 

ଚମ୍ପାର ପିଠିରେ ହାତ ବୁଲାଇ ପେଚି କହିଲା, ତୁନିହ ମୋଅର ସାନ ଭଉଣୀଟି, ମୁଇଁ ଡାଅଣୀ ଲୋ, ମୁଇଁ ଡାଆଣୀ । ପାଞ୍ଚ ପିଲା ମୁଇଁ ମାରିଛି । ମୋଓରି ଅଭିମାନ, ମୋଓରି ଅଣହେଲା ପାଇଁ ଏମିତି ହେଲା । ହଉଲୋ, ଏଥକୁ ଦୁଃଖ କର ନା । ଭଙ୍ଗା ଗଢ଼ା ଠାକୁରଙ୍କ ନୀତି-। ପୁଣି ସାତ ପିଲା ତୋଓର କୋଳରେ ଖେଳିବେ । ତୁନି ହ ।

 

ଚମ୍ପାର ଆଖିରୁ ଲୁହ ପୋଛି ଦେଲା ପେଚି ।

 

ହାଡ଼ିଆ ଦେହରୁ ତାତି କମିଲାଣି ।

 

କୋଳକୁ ନେଇ କହିଲା ପେଚି, ମହୁପାଣି ଟିକେ ପେଇଦେଲ ଆଗ । ରାତି ପାହିଲେ ଓଷଦ ଦେବି। ହାଡ଼ିଆ ମୋଓର ବିଶାଶହେ ବରଷ ବଚିବ ।

 

ମଣିଆ ମହୁ ବୋତଲ ଆଣିବାକୁ ଆର ଘରକୁ ଗଲା ।

 

ଚମ୍ପା ପେଚିର ମୁହଁକୁ ଚାହୁଁ ଚାହୁଁ ତାଆରି ଗୋଡ଼ଧରି କହିଲା, ହାଡ଼ିଆକୁ ଛାଡ଼ି ଚାଲି ଯିବୁ ନାହିଁ ଅପା ଏ ଘର ତ ଆଗ ତୋଓର । ହାଡ଼ିଆ ସିନା ତୋ କୋଳରେ ଜନମି ଥାଆନ୍ତା । ତୋ ପିଲା ମୋ ଧିଅରୁ ଜନମ ହୋଇଥିଲେ ଅପା, ମୋଓରି ରାଗ ହିଂସା , ବାଦ, ଦେଖି ବାହୁଡ଼ି ଗଲେ ।

 

ଚମ୍ପାର ପିଠି ଆଉଁଷି ଲୁହ ଢଳ ଢଳ ଆଖିରେ ପେଚି କହିଲା, ମତେ ହାଡ଼ିବୋଉ ବୋଲି ଡାକିବୁ ଏକା । ଆଉ ଛଅ ପୁଅ ମୋଅର ତୋଓର ଧିଅରୁ ପୁଣି ଜନମ ହେବେ ଲୋ ଚମ୍ପା, ଗୋଟି ଗୋଟି କରି ମୋକୋଳକୁ ଟେକି ଦେବୁ । ମୋ ପିଲାଙ୍କୁ ମୁଁ ପାଳି ମଣିଷ କରିବି ।

 

କେତେ ଦୂରରୁ ନଈ ସେପାରିରୁ ଅଧରାତିର ଆକାଶ ଫଟାଇ କାହାର ଆକୁଳିଆ ଡାକ ଶୁଭିଲା, ଅପାଲୋ, ଭରଥିଆ ରାହା ଧରିଛି ହେ ଅପା ।

 

ପେଚିର ଧିଅ ଶିରି ଶିରେଇ ଉଠିଲା । ରାତି ଅଧରେ ଚଇଁଆଁ ଡାକ ଛାଡ଼ିଛି । ମୁଣ୍ତକୁ ଯେତେବେଳେ ତାଆର ସୁନା ବିଗାଡ଼ି ଦିଏ ସେତିକି ବେଳେ ସେ ସିନା ଅନ୍ଧ ହୁଏ, ନୋହିଲେ, ଚଇଁଆଁ ତାକୁ କେଡ଼େ ଭଲ ପାଏ । ଘଡ଼ିଏ ନ ଦେଖିଲେ ବଣା ହଏ । ଅପାକୁ ଘରେ ନ ଦେଖି ରାତି ଅଧରେ ଖୋଜିବାକୁ ବାହାରିଛି ।

 

ଭରଥିଆ ରାହା ଧରି ନାହିଁ, ରାହା ଧରିଛି ଚଇଁଆଁ । ଏକା ନାହିଁ ଦିଖଣ୍ତ ସିନା, ଦିହେଁ ଆଜି ଦି ପାରିରେ-ପେଚି ଏପାରି, ଚଇଁଆଁ ସେପାରି । ଛିଣ୍ତିଲା ନାହିରୁ ରକତ ଧାର ବହିଛି । ଦିଇଟା ମନ, ଦିଇଟା ସଂସାର ମଝିରେ ଛୁଟିଛି ରକତର ସୁଅ । ଛିଣ୍ତା ନାହି ଆଉ ଯୋଡ଼ି ହେଇ ଏକା ହେବ ନାହିଁ କି, ଛୁଟିଲା ରକତ ଧାର ଆଉ ଶୁଖିବ ନାହିଁ ।

 

ପେଚିର ଛାତି ଉଯନ୍ତ୍ରି ହେଲା । ମନ କାନ୍ଦି ଉଠିଲା ।

ମଣିଆଁ ମହୁ ବୋତଲ ଆଣିଲା ।

ପେଚି କହିଲା, କବାଟ ବନ୍ଦ କରି ଦିଅ ତ, ଥଣ୍ତା ପବନ ପଶି ଆଉଛି ।

ସୁଧର ପିଲାଟି ପରି ମଣିଆଁ କଥା ମାନିଲା ।

ରାୟଗଡ଼

କୋରାପୁଟ

୧୭-୪-୧୯୪୫